Odiapua.com

୧୯ ବର୍ଷଧରି ବାଲେଶ୍ୱର ବିକାଶ ଦାୟିତ୍ୱ କାହାର ଥିଲା: ଗୋଲକ

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ବିକାଶର ପରିଭାଷା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟରେ ନବୀନ ସରକାରଙ୍କ ଶାସନ ୫ମ ପାଳିରେ ପହଞ୍ଚିଥିବା ବେଳେ ଦୀର୍ଘବର୍ଷ ଧରି ବାଲେଶ୍ୱରର ବିକାଶ ଦାୟିତ୍ୱ କାହା ହାତରେ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବାଲେଶ୍ୱର ସାଂସଦ ଓ ଜିଲ୍ଲାର ୨ ଜଣ ବିଧାୟକ ମାତ୍ର ଦେଢ଼ ବର୍ଷ କ୍ଷମତାରେ ଥିଲେ। ତା’ ପୂର୍ବରୁ ବିଜେଡିକୁ ଜିଲ୍ଲାବାସୀ ବିପୁଳ ସମର୍ଥନ ଦେଇଆସିଛନ୍ତି। ମାତ୍ର ଏଇ ଦୀର୍ଘ ବର୍ଷରେ ଜିଲ୍ଲାବାସୀ ର୍ୟାସରକାରଙ୍କଠାରୁ ପାଇଛନ୍ତି କ’ଣ। ଜିଲ୍ଲାର ଆର୍ଥିକ ବିକାଶରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ବାଲେଶ୍ୱରର ବହୁ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଏବେ ବନ୍ଦ ହେବାକୁ ବସିଛି। ୭ କୋଟି ଟଙ୍କାର ସିଟିବସ୍ ଖତ ଖାଉଛି। ଜିଲ୍ଲାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ପ୍ରଭୃତି ବିଭାଗର ଦୟନୀୟ ଅବସ୍ଥା ସାଙ୍ଗକୁ ଜିଲ୍ଲାରେ ବେଆଇନ ନିଶାକାରବାର ବଢ଼ି ବଢ଼ି ଚାଲିଛି। ସଦର ମହକୁମାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସରକାର ଓ ପ୍ରଶାସନ ବିଫଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ କି ବିକାଶର ଛବି ବାଲେଶ୍ୱରବାସୀଙ୍କୁ ଦେଖାଇବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଦୀର୍ଘଦିନ ପରେ ଉପ-ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କର ବାଲେଶ୍ୱର କଥା ମନେପଡ଼ିଲା। ଜିଲ୍ଲା ପ୍ରତି ହେଉଥିବା ଅବହେଳା ବିଶ୍ୱାସଘାତକୁ ବାଲେଶ୍ୱରବାସୀ କେବେ କ୍ଷମା କରିବେ ନାହିଁ। ବରଂ ଆସନ୍ତା ୩ ତାରିଖରେ ଜିଲ୍ଲାର ଚିନ୍ତାଶୀଳ ଭୋଟର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାପାତ୍ର ଏହି ସମ୍ବାଦିକ ସମ୍ମିଳନୀରେ ଆଶା ପ୍ରକାଶ କରିଛନ୍ତି।