ଭୁବନେଶ୍ୱର, ତା ୨୨।୯ (ଓଡ଼ିଆ ପୁଅ) ଶିକ୍ଷା ହେଉଛି ଗୋଟିଏ ଜାତିର ମେରୁଦଣ୍ଡ। ଜାତିସଂଘଠାରୁ ଆରମ୍ଭ କରି ଜାତୀୟ ଶିକ୍ଷାନୀତି-୨୦୨୦ ପର୍ଯ୍ୟନ୍ତ ସବୁଠି ମାତୃଭାଷା ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସେହିଦୃଷ୍ଟିରୁ ଓଡିଶାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା କେବଳ ଓଡିଆ ମାଧ୍ୟମରେ ପ୍ରଚଳନ କରିବାପାଇଁ ଓଡିଶା ସରକାର ଯତ୍ନବାନ ହେବା ଆବଶ୍ୟକ। ସମଗ୍ର ଦେଶରେ ଦୁଇଭାଷିକ ନୀତିକୁ ଆପଣେଇ ନିଜଭାଷାକୁ ଶକ୍ତିଶାଳୀ କରିଥିବାବେଳେ ଓଡିଶା ଚାରିଟି ଭାଷାକୁ ଗୁରୁତ୍ୱଦେବା ଫଳରେ ଏକ ମିଶ୍ରିତ ଭାଷା ଆଜିର ଯୁବପିଢୀଠାରେ ଦେଖିବାକୁ ମିଳୁଛି। ଏପରିକି ଓଡିଆଭାଷାକୁ ଉଚ୍ଚମାଧ୍ୟମିକ ସ୍ତରରେ ଅବହେଳା କରିବାଦ୍ୱାରା ଓଡିଆ ମାଧ୍ୟମରେ ସର୍ବଭାରତୀୟ ଡାକ୍ତରି, ଇଂଜିନିୟରିଂ, ରେଳବାଇ ତଥା ପ୍ରଶାସନିକ ସେବା ପରୀକ୍ଷା ଦେବାର ସୁବିଧା ଥିଲେ ମଧ୍ୟ ଓଡିଶାର ପିଲାମାନେ ଓଡିଆଭାଷାରେ ପରୀକ୍ଷା ଦେବାପାଇଁ ଡରୁଛନ୍ତି। ଅଧ୍ୟାପକଗଣ ମଧ୍ୟ ଉଚ୍ଚଶିକ୍ଷା ସ୍ତରୀୟ ପାଠ୍ୟକ୍ରମ ଓଡିଆରେ ପଢାଇବାକୁ ଅନିଚ୍ଛୁକ। ଅନ୍ୟ ରାଜ୍ୟଗଣ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ନିଜ ଭାଷାରେ ଶିକ୍ଷା ପ୍ରଦାନ କରୁଥିବାରୁ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ସଫଳତା ପ୍ରଦର୍ଶନ କରିପାରୁଛନ୍ତି। ମାଧ୍ୟମିକ ଶିକ୍ଷା କେବଳ ନିଯୁକ୍ତି ବା ଆତ୍ମନିର୍ଭରଶୀଳ ନୁହେଁ, ବରଂ ଉଚ୍ଚଶିକ୍ଷାର ପାହାଚ ଥିବାରୁ ଓଡିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାକୁ ହେଲେ ଓଡିଆ ମାଧ୍ୟମରେ ଏହି ସ୍ତରର ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଜାତୀୟ ଭାଷାନୀତି-୨୦୨୦ ଓ ଓଡିଶାର ମାଧ୍ୟମିକ ଶିକ୍ଷାଢାଞ୍ଚା ଆଲୋଚନା ସଭାରେ ଯୋଗଦେଇଥିବା ବିଶିଷ୍ଟ ବକ୍ତାଗଣ ମତବ୍ୟକ୍ତ କରିଥିଲେ।
ଏହି ଆଲୋଚନା ସମ୍ପର୍କରେ ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ କହିଥିଲେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମଣିଷର ହୃତପିଣ୍ଡ ସଦୃଶ, ସୁଦୃଶ୍ୟ ଅଟ୍ଟାଳିକାର ମୌଳିକ ଭିତ୍ତିଭୂମି। ଏବେ ଜ୍ଞାନ ଓ ପ୍ରତିଦ୍ୱନ୍ଦ୍ୱିତାର ଯୁଗ ହୋଇଥିବାରୁ ଓଡିଆ ପିଲାର ଜ୍ଞାନ ବୃଦ୍ଧିପାଇଁ ଏହି ଶିକ୍ଷାନୀତି କିଭଳି ପ୍ରେରଣାଦାୟୀ ହୋଇପାରିବ, ସେ ବିଷୟରେ ସୁଚିନ୍ତିତ ଯୋଜନା ଓ ରଣକୌଶଳ ନିର୍ଦ୍ଧାରଣ କରିବାର ସମୟ ଏବେ ଉପସ୍ଥିତ। ମାଧ୍ୟମିକ ଶିକ୍ଷାଢାଞ୍ଚା କମିଟିର ଆବାହକ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ସୂଚନା ଦେଇ କହିଥିଲେ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତିକୁ ନେଇ ଓଡିଶାର ଶିକ୍ଷାବ୍ୟବସ୍ଥା ସଜାଡିବା ଆବଶ୍ୟକ। ଗୁଡିଏ ଭାଷା ପିଲାଙ୍କୁ ଶିକ୍ଷା ଦେବା ବଦଳରେ କେବଳ ଗୋଟିଏ ଭାଷାରେ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଉ। ଇଂଲିଶଭାଷା ଷଷ୍ଠ ଶ୍ରେଣୀରୁ ଆରମ୍ଭ କରାଯିବା ସହିତ ଏହାକୁ ଯୋଗାଯୋଗର ଭାଷା ଭାବରେ ଶିକ୍ଷା ପ୍ରଦାନ କରାଯାଉ। ଅଷ୍ଟମ ଶ୍ରେଣୀରୁ ଶାସ୍ତ୍ରୀୟ ଭାଷା ଭାବରେ ହିନ୍ଦୀ/ ସଂସ୍କୃତ/ ଶାସ୍ତ୍ରୀୟ ଓଡିଆ ପଢାଯାଉ। ରାଜ୍ୟ ହିଁ ପାଠ୍ୟକ୍ରମ ନିର୍ଦ୍ଧାରଣ କରୁ।
ଆଲୋଚନାର ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରିୟ ଶୈଖିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି ଯୋଗଦେଇ କହିଥିଲେ ଯେ, ଶିକ୍ଷାନୀତି ହେଉଛି ଏକ ମାର୍ଗଦର୍ଶିକା। ଏଥିରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବାପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ଏହା କିଭଳି କାର୍ଯ୍ୟକାରି ହେବ, ତାହା ରାଜ୍ୟ ନିଷ୍ପତ୍ତି ଉପରେ ନିର୍ଭରଶୀଳ। ଆଲୋଚନାର ଅନ୍ୟତନ ସମ୍ମାନୀତ ଅତିଥି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ପ୍ରଶାନ୍ତ ଭୂୟାଁ କହିଥିଲେ ଯେ, ଶିକ୍ଷା ହେଉଛି ଏକ କଳା, ମାତ୍ର ଶିଖିବା ହେଉଛି ବିଜ୍ଞାନ। ଭଲ ସ୍କୁଲ ଓ ଭଲ ଶିକ୍ଷକ ଥିଲେ ଭଲ ଛାତ୍ର ଆପେ ସୃଷ୍ଟି ହୋଇଯିବ। ଉଚ୍ଚଡିଗ୍ରୀ ଥିଲେ ମଧ୍ୟ ଶିକ୍ଷକର ବିଷୟ ଉପରେ ଗଭୀର ଜ୍ଞାନ ନ ଥିଲେ ଭଲ ଛାତ୍ର ସୃଷ୍ଟି ହୋଇପାରିବନାହିଁ। ଶିକ୍ଷାର ସବୁ ସ୍ତର ଓଡିଆରେ ପଢାଯିବାଦ୍ୱାରା ଭଲ ବିଦ୍ୟାର୍ଥୀ ନିଶ୍ଚିତ ମିଳିବେ। ପ୍ରାକ୍ତନ ଜିଲ୍ଲାଶିକ୍ଷାଧିକାରୀ ସୁପ୍ରିୟା ମଲ୍ଲିକ ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ସମସ୍୍ୟା ଓ ସମାଧାନ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିବାବେଳେ ଏହି ଆଲୋଚନାରେ ଓଁକାରନାଥ ମହାନ୍ତି, ବସନ୍ତ ପଣ୍ଡା, ନିରଦ ବରଣ ଖୁଣ୍ଟିିଆ, ରାମଚନ୍ଦ୍ର ଖୁଣ୍ଟିିଆ, ଯଶୋବନ୍ତ ସାମଲ, ସିପ୍ରା ମଲ୍ଲିକ, ନଟବର ଶତପଥୀ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଗୌରାଙ୍ଗ ଚରଣ ନନ୍ଦ, ଶ୍ୟାମ ଭୋଇ, ଆମେରିକା ଓଡିଆ ସୋସାଇଟି ଅଧ୍ୟକ୍ଷା କୁକୁ ଦାସ, ଦୁବାଇର ସୁବ୍ରତ ପଟ୍ଟନାୟକ ପ୍ରମୁଖ ରାଜ୍ୟ ତଥା ଦେଶବିଦେଶର ଶତାଧିକ ଶିକ୍ଷାବିତ, ବୁଦ୍ଧିଜୀବୀ, ରାଜନେତା, ପ୍ରଶାସକ ଆଦି ଉପସ୍ଥିତ ରହି ଓଡିଶାର ଶିକ୍ଷାବ୍ୟବସ୍ଥା ପରିପ୍ରେକ୍ଷୀରେ ଏହି ଶିକ୍ଷାନୀତିକୁ କିଭଳି ଉପଯୁକ୍ତ ବିନିଯୋଗ କରାଯାଇ ପାରିବ, ସେ ବିଷୟରେ ମତ ପ୍ରଦାନ କରିଥିଲେ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ସ୍ତରର ତିନୋଟି ଆଲୋଚନାଚକ୍ର ଆୟୋଜନ ମାଧ୍ୟମରେ ନିଷ୍କର୍ଷ ମତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି କହିଥିବାବେଳେ ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।