Odiapua.com

୧୯ତମ ଓଡିଶା ରାଜ୍ୟ ତାଇକୋଣ୍ଡୋ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଓଡିଶା (ତାଓ) ଆନୁକୂଲ୍ୟରେ ୧୯ତମ ଓଡିଶା ରାଜ୍ୟ ତାଇକ୍ୱୋଣ୍ଡୋ ଚମ୍ପିୟାନ୍‌ସିପ୍ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ଭାରତୀୟ ତାଇକ୍ୱୋଣ୍ଡୋର ଜନକ ତଥା ତାଇକ୍ୱୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆର ସେକ୍ରେଟାରି ଜେନେରାଲ ଗ୍ରାଣ୍ଡ ମାଷ୍ଟର ଡ. ଜିମ୍ମି ଆର.ଜାଗତିଆନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ତାଓ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ବିବରଣୀ ଉପସ୍ଥାପନ କରିଥିଲେ। ଶ୍ରୀପାଣିଗ୍ରାହୀ କରୋନା ଆତଙ୍କା ହେତୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ପ୍ରତିଯୋଗିତାଟିର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ତାଇକ୍ୱୋଣ୍ଡୋ ଆସୋସିଏସନର ସଂପାଦକ ଏମ୍‌.ସୁନ୍ଦରମ୍ ଆୟାର, ଓଡିଶା ବାରକାଉନ୍‌ସିଲ ସଦସ୍ୟ ପବନ ଶର୍ମା, ସମାଜସେବୀ ବିଦ୍ୟାଧର ବାରିକ୍‌, ମାରୱାଡି ଯୁବମଂଚର ବରିଷ୍ଠ ସଦସ୍ୟ ବିଶାଲ ଗୋପାଲ ଲଖାନୀ, ସବୁଜ କ୍ଲବର ସଂପାଦକ ଅଜୟ କୁମାର ଧଳ, କିଟ୍ ବିଶ୍ୱ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ସସ୍ମିତା ନନ୍ଦ, ହେପିହୋମର ବରିଷ୍ଠ ଅଧ୍ୟାପିକା ପ୍ରତିଭା ତିୱାରୀ ଓ କାର୍ମେଲ ସ୍କୁଲ ଅଧ୍ୟାପିକା ସଂଘମିତ୍ରା ନନ୍ଦିନୀ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।

ତାଓ ଉପସଭାପତି ରମେଶ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମସଂପାଦକ ପ୍ରଫେସର ଯୋଗେଶ୍ୱର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅତିଥି ରୂପେ ଯୋଗଦେଇ ଭଦ୍ରକରେ କ୍ରୀଡାର ଉନ୍ନତି ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ନିଜବକ୍ତବ୍ୟ କହିଥିଲେ। ଏହି ସଂସ୍କରଣରେ ୧୫ଟି ଜିଲ୍ଲାରୁ ମୋଟ ୫ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଓଡିଶାର ସଦସ୍ୟ ସତ୍ୟ ପାଣିଗ୍ରାହୀ, ସୌମନାଥ ସାହୁ, ସୌମ୍ୟକାନ୍ତ ବେଉରା, ସୁଧାକର ଜେନା, ଯୋଗେନ୍ଦ୍ରେ ନାୟକ, ରାଜେନ୍ଦ୍ର ଜେନା, ପଦ୍ମଲୋଚନ ସିଂ, ବିପିନ୍ ସାମଲ, ଦଶରଥ ସ୍ୱାଇଁ, ରାଜେଶ ବିଶ୍ୱାଳ, ଆଦ୍ୟାଶା ଦାସ ଓ ତାରିଣୀ ସାହୁ। ଆସନ୍ତାକାଲି ସଧ୍ୟାରେ ଏହି ପ୍ରତିଯୋଗିତାଟି ଉଦ୍‌ଯାପିତ ହେବ। ଏହି ଅବସରରେ ଛାତ୍ରଛାତ୍ରୀମାନେ ତାଇକ୍ୱୋଣ୍ଡୋ ସାମାରିକ କଳା ପ୍ରଦର୍ଶନ କରିବାସହିତ ନୃତ୍ୟ ଓ ସଂଗୀତସହ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିବେ।