Odiapua.com

୧୮ ଟି ରାଜପଥ ପେଟ୍ରୋଲିଂ ୟୁନିଟ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହା ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
ଏହା ସହ ମୋଟ ୩୬ ୟୁନିଟ୍ ସେଟ୍ ଅପ୍ ହେବ।

ଭୁବନେଶ୍ୱର, ୦୧.୦୨ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ରାଜ୍ୟ ତଥା ଜାତୀୟ ରାଜପଥର ୧୮ ଟି ହାଇୱେ ପେଟ୍ରୋଲିଂ ୟୁନିଟ୍ ଭର୍ଚୁଆଲ୍ ପ୍ଲାଟଫର୍ମରେ ଲୋକାର୍ପିତ କରିଛନ୍ତି। ଏହି ୟୁନିଟ୍ ଗୁଡିକ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜପଥରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିବାରେ ଏହି ୟୁନିଟ୍ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରାଜପଥରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣା କାରଣରୁ ଓଡିଶାରେ ପ୍ରତିବର୍ଷ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ସରକାର ଏଭଳି ସାଂଘାତିକ ଦୁର୍ଘଟଣାକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।

ହାଇୱେ ପେଟ୍ରୋଲିଂର ପ୍ରବର୍ତ୍ତନ ଘୋଷଣା କରି ସେ କହିଛନ୍ତି ଯେ, ଦୁର୍ଘଟଣା ପୀଡିତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବା ଏବଂ ସମୟଥାଇ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଯେତେ ଶୀଘ୍ର ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇପାରିବା, ବଞ୍ଚିବାର ଆଶା ସେତେ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପାଟ୍ରୋଲିଂ ୟୁନିଟ୍ ଗୁଡିକ ଏହି ପରିସ୍ଥିତିରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଯଥାଶୀଘ୍ର ହସ୍ପିଟାଲରେ ପହଁଚାଇବାରେ ଅତ୍ୟନ୍ତ ଉପଯୋଗୀ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ଦୁର୍ଘଟଣା ପ୍ରବୃତ୍ତିରେ ୩୬ ଟି ପେଟ୍ରୋଲିଂ ୟୁନିଟ୍ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ୧୮ ଟି ୟୁନିଟ୍ ର କାର୍ଯ୍ୟକାରିତା ଏବଂ ଅଭିଜ୍ଞତା ଆମକୁ ପରବର୍ତ୍ତୀ କାର୍ଯ୍ୟ ଏବଂ ଭବିଷ୍ୟତ ପଦକ୍ଷେପ ପାଇଁ ମାର୍ଗଦର୍ଶନ କରିବ। ବିଭିନ୍ନ ସଡକ ସୁରକ୍ଷା ଯନ୍ତ୍ର ଏବଂ ଏହା ସହ ଜଡିତ ଆଇନ ଉପରେ ଡ୍ରାଇଭରମାନଙ୍କ ପାଇଁ ଅଧିକ ସମ୍ବେଦନଶୀଳ ପଦକ୍ଷେପ ଆରମ୍ଭ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

ଅତିଥିମାନଙ୍କୁ ସ୍ୱାଗତ କରି କଟକ ନିକଟସ୍ଥ ମଙ୍ଗୁଲି ଛକ ଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ମୂଲ୍ୟବାନ ମାନବ ଜୀବନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ତଥା ଜୀବନ ରକ୍ଷା କରିବାରେ ଓଡିଶା ଏକ ଆଦର୍ଶ ରାଜ୍ୟ। ହାଇୱେ ପେଟ୍ରୋଲିଂ ପାଇଁ ଏହି ପଦକ୍ଷେପ ହେଉଛି ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ସେ କହିଛନ୍ତି।

D.G. ପୋଲିସ ଶ୍ରୀ ଅଭୟ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ସଚିବ ତଥା ୫-ଟିର ସଚିବ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଭିନ୍ନ ସ୍ଥାନରେ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ବିକାଶ କମିଶନର, ଏସିଏସ୍ ହୋମ୍ ଏବଂ ଗୃହ ବିଭାଗ ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।