Odiapua.com

୧୮ରେ ବିଏମସି ଘେରିବେ ବସ୍ତିବାସିନ୍ଦା

ଭୁବନେଶ୍ୱର, ୧୬/୦୨ (ଓଡ଼ିଆ ପୁଅ) – ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ , ବସ୍ତିଭାଙ୍ଗି ବସ୍ତି ଗଢ଼ିବା ନୀତି ବାତିଲ, ବସ୍ତି ଆଇନ କାର୍ଯ୍ୟକାରୀ, ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଉଛେଦ ବନ୍ଦ, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ଅସାଧୁମେଣ୍ଟ ଓ ବିଲ୍ଡରଙ୍କ ସ୍ୱାର୍ଥରେ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡ଼ି ପକାଇ ଜେଲ ପଠାଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ୱନ, ବସ୍ତି ଆଇନ ପରିବାର ସଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରିବା ଆଦି ଦାବିରେ ୧୮ ଫେବୃଆରୀରେ ବିଧାନସଭାର ପ୍ରଥମ ଦିବସରେ ବିଏମସି ଘେରାଉ କରିବେ ବସ୍ତିବାସିନ୍ଦା ବୋଲି ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ ଓ ସମ୍ପାଦିକା କମ୍ରେଡ଼ ପ୍ରମିଳା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ବିଏସୟୁପି ଯୋଜନାରେ କୋଠାଘର ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ବସ୍ତିରେ ପ୍ରକୃତରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇ ସେମାନଙ୍କ ଘରକୁ ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଭାବେ ଉଛେଦ କରାଯାଉଛି। କିନ୍ତୁ ଯେଉଁମାନେ ବସ୍ତିରେ କେବେ ରହିନଥିଲେ, ଏପରିକି ଭୁବନେଶ୍ୱରର ବାସିନ୍ଦା ନଥିଲେ, ସରକାରୀ ଚାକିରୀ କରିଛନ୍ତି, ଭୁବନେଶ୍ୱରରେ ନିଜସ୍ୱ ଦାମୀ ଆପାର୍ଟମେଂଟ ଓ କୋଠାଘର ରହିଛି ସେମାନଙ୍କ ନାମରେ ଏହି କୋଠାଘର ଆଲଟମେଂଟ ହୋଇଛି। ବିଏମସି, ବିଡିଏ, ସିଏଲଟିସି ଅଧିକାରୀ କର୍ମଚାରୀ ମାନେ ଶାସକ ଦଳ ନେତାଙ୍କ ସହ ଅସାଧୁମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଭିତିରିଆ କାରବାର କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି କରିଛନ୍ତି। ଚକ୍ରାନ୍ତ କରି ଲୋକଙ୍କୁ ଭାଗ ଭାଗ କରି ଜମିରୁ ବସ୍ତିବାସିନ୍ଦାଙ୍କୁ ହଟେଇବା କାର୍ଯ୍ୟ ବଢ଼େଇ ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ତଦନ୍ତ, ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି, ଟଙ୍କା ଡିପୋଜିଟ କରିଥିବା ସବୁ ପରିବାରଙ୍କୁ ତୁରନ୍ତ ଘର ପ୍ରଦାନ, ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ସମେତ ସବୁ ବସ୍ତିରେ ପ୍ରକୃତରେ ରହୁଥିବା ସବୁ ପରିବାରକୁ କୋଠାଘର ଯୋଗେଇଦେବା। ବସ୍ତି ଆଇନ ପରିବାର ସଜ୍ଞାକୁ କଡାକଡି ପାଳନ କରିବା ଆଦି ଦାବିରେ ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦା ବିଏମସି ଚାଲ ଅଭିଯାନରେ ସାମିଲ ହୋଇ ଏହି ଗଣ ପ୍ରତିବାଦ ସମାବେଶକୁ ସଫଳ କରିଵାକୁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ନିବେଦନ କରାଯାଇଛି।