Odiapua.com

୧୭ନଂ ୱାର୍ଡ ସଂଖ୍ୟାଲଘୁ ଭୂମିହୀନ ପଟ୍ଟା ପାଇବାରୁ ବଂଚିତ, ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ନିକଟରେ ଅଭିଯୋଗ କଲେ ଭୂମିହୀନ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଅସହାୟ ଭୂମିହୀନ ପରିବାରଙ୍କୁ ବିଭିନ୍ନ ଯୋଜନାରେ ଜମିପଟ୍ଟା ପ୍ରଦାନ ପୂର୍ବକ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି । କିନ୍ତୁ ଏବେବି ଭଦ୍ରକ ପୌରପାଳିକା ଅଧୀନରେ ଥିବା ବହୁ ୱାର୍ଡରେ ସଂଖ୍ୟାଧିକ ଭୂମିହୀନ ପରିବାର ଖରାବର୍ଷା ଶୀତ କାକରରେ ପଲ୍ଲା ମାରି ରାସ୍ତା ପାଶ୍ୱର୍ରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଏପରିକି ଅନେକ ସମୟରେ ସରୀସୃପ ଜାତୀୟ ବିଷାକ୍ତ ଜୀବଙ୍କର ସେମାନେ ଶୀକାର ହେଉଛନ୍ତି । ତେବେ ଏହିଭଳି ୧୭ନଂ ୱାର୍ଡ ଭଳି କେତେକ ସଂଖ୍ୟାଲଘୁ ପୌରବାସୀ ଜିଲା ପ୍ରଶାସନ ପକ୍ଷରୁ ଅବହେଳିତ ହେବା ପରେ ଭଦ୍ରକ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ମହମ୍ମଦ ଅଲ୍ଲୀ ସବରଙ୍କୁ ଭେଟି ସେମାନଙ୍କର ଆପତି ଅଭିଯୋଗ ଶୁଣାଇଛନ୍ତି । ଏହି ଲୋକଙ୍କର ଅଭିଯୋଗ ମୂଳେ ମହମ୍ମଦ ଅଲ୍ଲୀ ସବର ସେମାନଙ୍କୁ ଆଶ୍ୱାସନା ଦେଇ ଏବେ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ରହିଥିବାରୁ ସେ ସେମାନଙ୍କର ଅଭିଯୋଗକୁ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ପ୍ରଶାସନ ଓ ସ୍ଥାନୀୟ କାଉନ୍‌ସିଲରଙ୍କୁ ଅବଗତ କରାଇ ପ୍ରକୃତ ହିତାଧିକାରୀଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏ ସଂପର୍କରେ ସବର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗରିବର କୌଣସି ଜାତି ନାହିଁ । ପଛଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଯେପର୍ଯ୍ୟନ୍ତ ଉପଯୁକ୍ତ ଉଚିତ୍ ନ୍ୟାୟ ମିଳିପାରିନାହିଁ, ସେପର୍ଯ୍ୟନ୍ତ ଏ ସରକାରର ଉଦ୍ଦେଶ୍ୟ ସଫଳ ହେବନାହିଁ ବୋଲି କହିଥିଲେ । ଆମ ଦଳ ଜାତି ଧର୍ମ ରୁ ଉର୍ଦ୍ଧ୍ୱରେ ରହି ମାନବ ସେବାକୁ ସାମାଜିକ କାର୍ଯ୍ୟ ବୋଲି ବିବେଚନା କରିଥାଏ ବୋଲି କହିଥିଲେ । ଏବଂ ଏହି ସରକାର ନିଶ୍ଚିତ ଭାବେ ଏହି ଭୂମିହୀନଙ୍କୁ ଜମି ଯୋଗାଇଦେବେ ବୋଲି ସେ ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।