Odiapua.com

୧୫୪ତମ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସକାଳର ଝିପି ଝିପି ବର୍ଷା ସତ୍ତ୍ୱେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଭଦ୍ରକ ଜିଲ୍ଲା ସଦର ମହକୁମାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନିତ ଅତଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଓ ଭଦ୍ରକ ସ୍ୱାଧୀନତା ସଂଗ୍ରାମୀ ସଂଘର ସମ୍ପାଦକ ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରା, ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସ୍ତମ୍ଭକାର ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ କୁ ଗାନ୍ଧିଜୀଙ୍କ ଆଗମନ, ଭାରତୀୟ ମୁକ୍ତି ସଂଗ୍ରାମରେ ଭଦ୍ରକ ଜିଲ୍ଲାର ଅବଦାନ, ଭାରତର ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବିଦେଶୀ ବସ୍ତୁ ବର୍ଜନ, ନିଶା ନିବାରଣ, ଅସ୍ପୃତ୍ୟତା ନିବାରଣ, ଅନ୍ଧ ବିଶ୍ୱାସ ଦୂରୀକରଣ, ଗ୍ରାମର ବିକାଶରେ ଦେଶର ବିକାଶ ଚିନ୍ତନ ଓ କାର୍ଯ୍ୟାନ୍ୱୟନର ବିଭିନ୍ନ ଦିଗ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଗାନ୍ଧି ଜୟନ୍ତୀ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂଘ, ଭଦ୍ରକର ପ୍ରଯୋଜକ ଓ ସଂଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକଙ୍କ ନେତୃତ୍ୱରେ କଳାକାରମାନେ ଗାନ୍ଧି ଆଶ୍ରମ ଭଜନ ବୈଷ୍ଣବ ଜନ ତୋ ଓ ରଘୁପତି ରାଘବ ରାଜା ରାମ ପରିବେଷଣ କରାଯାଇଥିଲା ।

ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେଃବାସୀଙ୍କ ଦ୍ୱାରା ଗାନ୍ଧି ପଡ଼ିଆରେ ଗାନ୍ଧଜୀଙ୍କ ପ୍ରତିମୂର୍ତ୍ତି ଠାରେ ଓ ଭଦ୍ରକ ଜିଲ୍ଲା ସ୍କୁଲର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଜିଲ୍ଲା ସ୍କୁଲ ପରିସରରେ ଥିବା ଗାନ୍ଧୀ ଓ ସୁବାସ ବୋଷଙ୍କ ମୂର୍ତ୍ତି ଠାରେ ମାନବ ଶୃଙ୍ଖଳା କରାଯାଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାଂସଦ, ଭଦ୍ରକ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଗାନ୍ଧି ଅନୁଷ୍ଠାନର କର୍ମକର୍ତ୍ତା ଭାବେ ସାନ୍ତନୁ ରାଉତ, ପବନ କୁମାର ଶର୍ମା, ସମାଜ ସେବୀ ଅଜୟ ନାୟକ ପ୍ରମୁଖ ଗାନ୍ଧି ପଡ଼ିଆ, ମହତାବ କୋଠି, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଓ ଜିଲ୍ଲାସ୍କୁଲ ପରିସରରେ ଥିବା ଗାନ୍ଧିଜୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରେମଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଦିବସ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ଗାନ୍ଧି ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାର୍ଥୀ, ସମାଜସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ସରକାରୀ ଅଧିକାରୀ, ବରିଷ୍ଠ ନାଗରିକ ବୃନ୍ଦ ଯୋଗ ଦେଇଥିଲେ, ଗରଦପୁର, ଭଦ୍ରକସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମରେ ଗାନ୍ଧି ବିଚାର ମଞ୍ଚ, ଗାନ୍ଧି ଶାନ୍ତି ପ୍ରତିଷ୍ଠା ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ସନ୍ଧ୍ୟାରେ ଗାନ୍ଧି ବିଚାର ଓ ଦର୍ଶନ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅନ୍ୟତମ ଅତିଥିଭାବେ ଡ. ପ୍ରଭେସର ଭାଗବତ ତ୍ରିପାଠ, ସମାଜସେବୀ ସୁଧାକର ରାଉତ, ଗାନ୍ଧୀ ପ୍ରତିଷ୍ଠାନର ସଭାପତି ପବନ କୁମାର ଶର୍ମା, ଡ. ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ପରିଚାଳକ ହୁର୍ଷିକେଶ ମହାନ୍ତି ଆନୁସଙ୍ଗିକ ସହଯୋଗ କରିଥିଲେ ।