Odiapua.com

୧୪୪ ଜାରି ସହ ବ୍ୟାପକ ପୋଲିସ ଛାଉଣିରେ ବିବାଦୀୟ ଗୁଡ଼ୁପାଙ୍ଗି-୧୭ଖଣ୍ଡ ମୌଜାର ରାସ୍ତା ନିର୍ମାଣ

ନୟାଗଡ଼, ୨୧ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ସଦରଥାନା ତଥା ନୂଆଗାଁ ବ୍ଳକର ବିବାଦୀୟ ଗୁଡ଼ୁପାଙ୍ଗି ଓ ୧୭ଖଣ୍ଡ ମୌଜାର ରାସ୍ତା ବ୍ୟାପକ ପୋଲିସ ଛାଉଣିରେ ୧୪୪ ଧାରା ଜାରି ହୋଇ ମଙ୍ଗଳବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାଳିସାହି ପଂଚାୟତର ଏହି ବିବାଦୀୟ ରାସ୍ତା ହେଉଛି ବଳଭଦ୍ରପୁର ଠାରୁ ଢିପାମାଳ ପର୍ଯ୍ୟନ୍ତ ରାସ୍ତା। ଏହି ରାସ୍ତା ନିର୍ମାଣକୁ ନେଇ ୨୦୧୬ରୁ ବିବାଦ ଲାଗି ରହିଛି। ଜିଲ୍ଳାପ୍ରଶାସନ ଏହାର ସମାଧାନ ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। କାରଣ ଏହି ରାସ୍ତା ନିର୍ମାଣକୁ ଗୁଡ଼ୁପାଙ୍ଗି ଗ୍ରାମବାସୀ ବିରୋଧ କରୁଥିଲେ। ସେମାନେ ଚାହୁଁଥିଲେ ବଳଭଦ୍ରପୁର ଠାରୁ ଢିପାମାଳ ରାସ୍ତା ନଯାଇ ଗୁଡ଼ୁପାଙ୍ଗି ଦେଇ ଢିପାମାଳ ପର୍ଯ୍ୟନ୍ତ ରାସ୍ତା ଯାଉ। ଯାହାକି ଗୁଡ଼ୁପାଙ୍ଗି ଗ୍ରାମକୁ ଛାଡ଼ି ଖଣ୍ଡୁଗାଁ, ଢେଙ୍କେଣା ଓ ମାଳିସାହି ପଂଚାୟତର ୧୭ଖଣ୍ଡ ଗ୍ରାମ ଏହାକୁ ବିରୋଧ କରିବା ସହ ବଳଭଦ୍ରପୁର ଠାରୁ ଢିପାମାଳ ରାସ୍ତା ନିର୍ମାଣକୁ ଅଡ଼ି ବସିଥିଲେ। ଫଳରେ ଏହାକୁ ନେଇ ୨୦୧୬ ମସିହାରୁ ବିବାଦ ଲାଗ୍‌ି ରହିଥିଲା। ତେବେ ବଳଭଦ୍ରପୁର –ଢିପାମାଳ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତି ନେବା ସହ ମନରେଗା ଯୋଜାନାରେ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲା। ବିବାଦୀୟ ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ। ଘଟଣାସ୍ଥଳରେ ଉପ ଜିଲ୍ଲାପାଳଙ୍କ ସମେତ ଦୁଇଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୪ଜଣ ଡିଏସପି, ବିଡିଓ, ତହସିଲଦାର, ବିଭିନ୍ନ ଥାନାର ଥାନାଧିକାରୀ, ୫ଜଣ ଇନ୍ସପେକ୍ଟର, ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ରାସ୍ତା ନିର୍ମାଣ ଚାଲିଥିଲାବେଳେ ଗୁଡ଼ୁପାଙ୍ଗି ଗ୍ରାମର ଲୋକେ ସମାଧାନ ପାଇଁ ଆସିଥିଲାବେଳେ ରାସ୍ତା ନିର୍ମାଣରେ ସହଯୋଗ କରିବା ପାଇଁ ପ୍ରଶାସନ ସେମାନଙ୍କୁ କହିଥିଲା। ତେବେ ୧୪୪ ଧାରା ଜାରି ସହ ରାସ୍ତା ନିର୍ମାଣ ହେବା ସହ ଏଥିରେ ବିଶୃଙ୍ଖଳା କଲେ ଆଇନ ଅନୁସାରେ କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।