Odiapua.com

୧୪ରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ଆରମ୍ଭ, ଜଳାଭିଷେକ ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସକାଳ ୬ରୁ ୧୦ଟା ଯାଏଁ ଲାଗିହେବ ଜଳ

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୪ରୁ ଅର୍ଥାତ ସୋମବାର ମହାବିଷୁବ ସଂକ୍ରାନ୍ତି ଠାରୁ ଏକମାସଧରି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ୟାୟରେ ପହଁଚିଛି। ଗ୍ରୀଷ୍ମ ଋତୁରେ ମଣିବାବାଙ୍କର ଉପଶମ ପାଇଁ ଶହଶହ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଧରି ବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିଥାନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ପଣାଭୋଗଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି ହେବା ପରେ ଶୀତଳ ଉପଚାର ନୀତି ନିମନ୍ତେ ସକାଳ ୬ଟାରୁ ୧୦ଟା ଯାଏଁ ଗୋପାଳଭକ୍ତଙ୍କର ଜଳଲାଗି କରାଯିବ। ସମସ୍ତ ସକାଳ ଧୂପ ସହ ମଧ୍ୟାହ୍ନ ୧ଟା ସୁଧା ସରିବା ପରେ ଅବକାଶ ନୀତି କରାଯାଇ ସେବାୟତଙ୍କ ଦ୍ୱାରା ପଣାଭୋଗଲାଗି ଓ ପରେ ଅପରାହ୍ଣରେ ବଡସିହାଂର ବେଶରେ ମଣିବାବାଙ୍କୁ ସଜିତ କରାଯିବ।