Odiapua.com

୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର ୯-୯ (ଓଡ଼ିଆ ପୁଅ) – ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ୪୮ ଘଂଟା ମଧ୍ୟରେ ଭୁବନେଶ୍ୱରରେ ହୋଇଥିବା ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମର ମୁଖ୍ୟ ଆସାମୀକୁ ଗିରଫ କରିବାକୁ ଦାବି ପତ୍ର ଦେବା ସହ ଏହାର ନକଲ ପୋଲିସ କମିଶନର ଓ ଡିଜିଙ୍କ ନିକଟକୁ ମଧ୍ୟ ପଠାଯାଇଛି। ଏକ ପ୍ରତିଷ୍ଠିତ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌ର କର୍ମଚାରୀ ଓ ପୋଲିସ କର୍ମଚାରୀ ଏଥିରେ ସଂପୃକ୍ତ। ଏମାନେ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି। ଏଣୁ ଏଭଳି ଏକ ଦୃଷ୍ଟାନ୍ତ ପଦକ୍ଷେପ ପୋଲିସ ଗ୍ରହଣ କରୁ ଯାହା ସାରା ଦେଶରେ ଓଡିଶା ପୋଲିସ ଉଦାହରଣ ହେବ। କାରଣ ସାରା ବିଶ୍ୱ ଯେତେବେଳେ କୋଭିଡ୍ ଭୁତାଣୁ କବଳରେ କବଳିତ ହୋଇ ପରିସ୍ଥିତି ଅସମ୍ଭାଳ ହୋଇପଡିଛି, ସେହି ତାଲା ବନ୍ଦ ସମୟରେ ଏମାନେ ରକ୍ଷକ ହୋଇ ଭକ୍ଷକ ସାଜିଥିଲେ। ଏମାନଙ୍କୁ ତୁରନ୍ତ ଗିରଫ କରନ୍ତୁ, ନଚେତ୍ ଆଗାମୀ ଦିନରେ ମହିଳା କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଭାନେତ୍ରୀ ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀୟାସ୍ମିତା ପଣ୍ଡା, ଲକ୍ଷ୍ମିପ୍ରିୟା ଦାସ, ଲିତିକା ବାରିକ, ବନଲତା ବାରିକ, ନମିତା ମହାନ୍ତି, ଅନୁସୂୟା ରାୟ ପ୍ରମୁଖ ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।