Odiapua.com

୧୩ରେ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୩ ତାରିଖ ଶନିବାର ସକାଳ ୭ ଘଟିକା ସମୟରେ ଅନୁଷ୍ଠିତ ହେବା ନେଇ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧୀକରଣ ସଚିବ ନେହା ଅଗ୍ରୱାଲ ସୂଚନା ଦେଇଛନ୍ତି । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡ଼ିକର ଫଇସଲା କରାଯିବ । ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳର ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫଇସଲା କରାଯିବ । ଏହାର ସୁବିଧା ଲୋକମାନେ ନେଇ ଅଧିକ ରୁ ଅଧିକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ତରଫରୁ ସୂଚନା ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଦ୍ୱନ୍ଦ୍ୱ ବା ଭୟଭୀତ ନହୋଇ ଏହି ଅଦାଲତର ସୁବିଧା ନେବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଆଶା ପୋଷଣ କରିଛନ୍ତି ।