Odiapua.com

୧୨୦ ଥର ରକ୍ତଦାନ କଲେ ଶରତ

ହାଟଡ଼ିହି, ୮ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଡଙ୍ଗା ଗ୍ରାମର ଶରତ କୁମାର ପାତ୍ର ୧୨୦ଥର ରକ୍ତଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିପାରିିଛନ୍ତି । ସେ ୧୯୯୪ ମସିହାରୁ ନିଜ ୧୮ବର୍ଷ ବୟସରୁ ଏହି ରକ୍ତଦାନ କରିଆସୁଛନ୍ତି । ଏଥିପାଇଁ ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଶଙ୍ଖୋ ଧବଳେଶ୍ୱର ସ୍କୁଲ ପରିସରରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ ସେ ୧୨୦ତମ ରକ୍ତଦାନ କରିଥିଲେ । ସେ ରକ୍ତଦାନକୁ ନିଜର ବ୍ରତଭାବେ ଗ୍ରହଣ କରିଆସିଛନ୍ତି । ତାଙ୍କ ଅନୁଭୁତିରୁ ସେ କୁହନ୍ତି ଯେ ସେ ୧୮ବର୍ଷ ବସର ହୋଇଥିବାବେଳେ ଜଣେ ସମ୍ପର୍କୀୟଙ୍କୁ ନେଇ କଟକ ବଡଡାକ୍ତରଖାନାକୁ ଯାଇଥିବାବେଳେ ସେଠାରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନା ଆସିଥିବା ଜଣେ ରୋଗୀଙ୍କର ରକ୍ତ ଆବଶ୍ୟକ ହେଉଥିବାବେଳେ ସେ ପ୍ରଥମ ଥର ପାଇଁ ସାହାସ ସଞ୍ଚୟ କରି ଅବିଳମ୍ବେ ରକ୍ତଦାନ କରିଥିଲେ । ସେହିଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି । ଯେଉଁଠି ଯେତେବେଳେ ଯାହାର ରକ୍ତର ଆବଶ୍ୟକତା ପଡେ ସେ ଖବର ପାଇବା ମାତ୍ରେ ପହଞ୍ଚିଥାନ୍ତି । ଏଥିପାଇଁ ତାଙ୍କୁ ବହୁତ ଖୁସିଲାଗେ ଓ ଚରମ ଆନନ୍ଦ ପାଇଥାନ୍ତି ବୋଲି କହିଛନ୍ତି । ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ କିଛି ନାହିଁ ଏହା ସେ ମର୍ମେ ମର୍ମେ ଅନୁଭବ କରିବା ସହିତ ଆଜିର ଯୁବପିଢ଼ୀମାନେ ରକ୍ତଦାନ ଭଳି ମହତ କାମ କରିବାକୂୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ତାଙ୍କର ଏପରି ବିରଳ କୃତ୍ତିତ୍ୱ ପାଇଁ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ରକ୍ତବୀର ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଅଭିମନ୍ୟୁ ସେଠୀ, ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ବିଘ୍ନେଶ କୁମାର ଦାସ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶୈଳାବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକ ପ୍ରମୁଖ ତାଙ୍କୁ ଉତ୍ତରୀୟ , ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।