Odiapua.com

୧୧ ବର୍ଷରେ ଏରେଇ କାଳୀ, ଆଲୋକସଜ୍ଜା ଓ ତୋରଣ ଦର୍ଶକଙ୍କୁ ମୁଗ୍ଧ କରିଛି

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁରୁବାରରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଭଦ୍ରକ ଚରମ୍ପା କାଳୀପୂଜା। ଭଦ୍ରକର ଚରମ୍ପାରେ ଚଳିତବର୍ଷ ୯ଟି ମା’ଙ୍କ ମେଢ ପୂଜା ପାଇଆସୁଥିବାବେଳେ ଏରେଇଁ ମା’ଙ୍କ କାଳୀ, ଆଲୋକ ସଜ୍ଜା ଓ ତୋରଣ ସମସ୍ତ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ଏହି ଏରେଇଁ କାଳୀ ଚଳିତଥର ୧୧ ବର୍ଷରେ ପଦାର୍ପଣ କରିଛି। ଚରମ୍ପା ହାଇସ୍କୁଲ ପଡିଆ ଠାରୁ ଏରେଇଁ ମା’ କାଳୀଙ୍କ ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ଆଲୋକସଜ୍ଜା ଅତି ଆକର୍ଷଣୀୟ ଥିବାବେଳେ ତୋରଣ ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବଂ ସେଠାରେ ଏକ ସେଲ୍‌ଫି ପଏଂଟ ମଧ୍ୟ ସ୍ଥାପନା ହୋଇଥିବାବେଳେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ ବେଶ୍ ଜମିଥିଲା। ମା’ଙ୍କ ମୂର୍ତି ସମେତ ପାଶ୍ୱର୍ମୂର୍ତି ଗୁଡିକ ମଧ୍ୟରୁ ଡ୍ରଗ୍ସ ଓ ମଦ ଖାଇ ଆଜିର ଯୁବପିଢୀ ବିପଦଗାମୀ ହୋଇଥିବା ଦୃଶ୍ୟ ସହିତ ମା’ ସୀତାଙ୍କ ସ୍ୱୟଂବରର ଦୃଶ୍ୟ ମଧ୍ୟ ବେଶ୍ ସୁନ୍ଦର ହୋଇଥିଲା। ଏହି ଏରେଇ କାଳୀ ମଣ୍ଡପ ପୂଜା କମିଟିର ସଭାପତି ଅମୟ କୁମାର ରାଉତ ଓ ସଂପାଦକ ରାଜକିଶୋର ଶତପଥୀ ଯାହା କୁହନ୍ତି ଚଳିତବର୍ଷ ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି। ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଟ୍ରାଫିକ୍ ସମସ୍ୟା ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହେଉଛି। ଏପରିକି ଏହି ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜାର ଏକ ସ୍ୱତନ୍ତ୍ର ପରିଚୟ ରହିଥିବାବେଳେ ଚଳିତବର୍ଷ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଦିବାରାତ୍ରର ମହୋତ୍ସବଟିକୁ ରାତି ପ୍ରାୟ ୧୧ ଟାରେ ବନ୍ଦ କରିଦେବା ଫଳରେ ବାହାର ରାଜ୍ୟରୁ ଆସୁଥିବା ବ୍ୟବସାୟୀ ଓ ଘରକରଣା ଜିନିଷ କିଣି ପୂଜାକୁ ଉପଭୋଗ କରିବାକୁ ଆସୁଥିବା ଦୂର ଦୂରାନ୍ତର ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ଦେଖାଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଚଳିତ ପୂଜାରେ ପକେଟମାର ଓ ମୋବାଇଲ୍ ଚୋରଙ୍କ ଏଭଳି ପ୍ରାଦୁର୍ଭାବ ବୃଦ୍ଧି ପାଇଛି ଯେ ପ୍ରତ୍ୟେକଦିନ ଶହ ଶହ ଲୋକଙ୍କର ଟଙ୍କା, ସୁନାଗହଣା ଲୁଟ୍ ହେଉଥିବାବେଳେ ମୋବାଇଲ୍ ଚୋରି ହେଉଛି। ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟ ଗ୍ରହଣ ନକରିବା ନୂତନ ଭାବେ ଯୋଗଦେଇଥିବା ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଣଦେଖା ପଣିଆକୁ ଜାହାରି କରିଛି।