Odiapua.com

୧୧ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାର କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନକୁ ବିଓସିଡବ୍ଲୁଡବ୍ଲୁଏ, ଅନ୍ୟାନ୍ୟ ଆଇନ ସହ ମିଶ୍ରଣ ଯୋଜନାକୁ ପ୍ରତ୍ୟାହାର କରିବା ଦିଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ବିଧିବଦ୍ଧ ଭାବେ ପ୍ରତିବାଦ କରିବାକୁ ଟ୍ରେଡ ୟୁନିୟନ ସଂଗଠନମାନେ ଦାବି କରିଛନ୍ତି। ନିର୍ମାଣ ଶ୍ରମିକ ନବିକରଣ ଓ ନୂତନ ପଂଜିକରଣ ପାଇଁ କେବଳ ମାତ୍ର ଅନଲାଇନରେ କରା ନଯାଇ ଅପଲାଇନ ବ୍ୟବସ୍ଥା ପ୍ରକ୍ରିୟାକୁ ଚାଲୁ କରାଯିବାକୁ ମଧ୍ୟ ଦାବି ହୋଇଛି। କାରଣ ନିର୍ମାଣ ଶ୍ରମିକ ମାନେ ଶିକ୍ଷତ ନୁହନ୍ତି। ସମସ୍ତଙ୍କ ପାଖରେ ମୋବାଇଲ ନାହିଁ ଓ ଓଟିପି ଚାଲୁ କରି ପାରିବେ ନାର୍ହି। ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦାଖଲ କରାଯାଇଥିବା ଦରଖାସ୍ତଗୁଡ଼ିକୁ ଯାଞ୍ଚ କରି ପଞ୍ଜିକରଣ କରାଯିବା, ବିଭିନ୍ନ ସହାୟତା ଦେବାର ବିଳମ୍ବ ନକରି ଯଥାଶୀଘ୍ର ସମୟ ସୀମା ମଧ୍ୟରେ ପ୍ରଦାନ କରିବା, ଆବେଦନ କରାଯାଇଥିବା ମୃତ୍ୟୁକାଳୀନ, ବିବାହ, ଶିକ୍ଷା, ଓ ମେଡିକାଲ ସହାୟତା ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଛି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ ଦିଆଯାଉ।

ପ୍ରତ୍ୟେକ କାର୍ଯ୍ୟ ଦିବସରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଠାରୁ ବାର୍ଷୀକ ଦେୟ ଗ୍ରହଣ କରାଯାଉ। କରୋନା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ୩ ବର୍ଷରୁ ଉର୍ଦ୍ଧ୍ୱ ବାର୍ଷିକ ଦେୟ ପୈଠ କରିନଥିବା ନିର୍ମାଣ ଶ୍ରମିକଙ୍କ ଆବେଦନକୁ ବିଚାର କରି ନବିକରଣ କରାଯାଉ। ସେସ ଆଦାୟକୁ ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯାଉ। ନିର୍ମାଣ ଶ୍ରମିକଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ସହିତ ଓବି ଏଣ୍ଡ ଓସି ଡ଼ବ୍ଲ୍ୟୁଡ଼ବ୍ଲ୍ୟୁବିର ବୈଠକ ଅନୁଷ୍ଠିତ ହୋଇ ଅଭିଯୋଗ ଓ ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ କରାଯାଉ। ଏସମସ୍ତ ଦାବି ନେଇ ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ୱାନରେ ସମଗ୍ର ରାଜ୍ୟର ସଦର ମହକୁମାରେ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇ ଶ୍ରମାଧିକାରୀଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହିକ୍ରମରେ ଭଦ୍ରକ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ ସଭାପତିତ୍ୱ କରିଥିଲେ। ସିଆଇଟିୟୁର ରାଧା ଦାସ, କାଳନ୍ଦୀ ପାତ୍ର, ନିରଂଜନ ପାଣୀ, ବିଷ୍ଣୁ ଦାସ, ମଳୟ ଭୋଇ, ସୀତା ଦାସ, ବାସନ୍ତୀ ବେହେରା, ଏଆଇସିସିଟିୟୁର ସମର ବଳ, ଗାୟତ୍ରୀ ବେହେରା, ରମାକାନ୍ତ ଦାସ, ପପନା ପାତ୍ର, ଗୟାଧର ଶେଣ, ପାଣ୍ଡବ ଜେନା, ଜୟନ୍ତୀ ବିଶ୍ୱାଳ, ଏଆଇୟୁଟିୟୁସିର ରାମଚନ୍ଦ୍ର ଶଂଖୁଆ, ଆଇଏନଟିୟୁସିର ସୁବାଶିଶ ନାୟକ, ଏଆଇଟିୟୁସିର ରବୀନ୍ଦ୍ର ସେଠୀ ପ୍ରମୁଖ ବକ୍ତ୍ୟ ରଖି ନିର୍ମାଣ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପ୍ରସଙ୍ଗୋର ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ଓ ସେମାନଙ୍କ ସ୍ୱାର୍ଥ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଏହି ଅବସରରେ ଶ୍ରମାଧିକାରୀ ସଚ୍ଚିଦାନନ୍ଦ ଜେନା ପ୍ରତିବାଦସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ତାଙ୍କ କ୍ଷମତା ପରିସରରେ ଥିବା ସମସ୍ତ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ।