Odiapua.com

୧୧ଜିଲ୍ଲାରେ ଦୁଇ ଦିନିଆ ସଟ୍ ଡାଉନ୍ – ସରକାରଙ୍କ ଅନ୍‌ଲକ୍ କଟକଣାକୁ ଜିଲ୍ଲାରେ ସ୍ୱାଗତ

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ଶେଷ ହେବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ସମଗ୍ର ଦେଶରେ କଟକଣା କୋହଳ ପୂର୍ବକ ଅ।।ରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଅନଲକ୍ ପ୍ରୋସେସ୍। ତେବେ ଏଥିରେ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ କଟକଣାକୁ କୋହଳ କରିବା ପାଇଁ ପରାମର୍ଶ ଦେଇଥିଲେ ବି ରାଜ୍ୟ ସରକାର ଏଥରୁ ଭିନ୍ନ ଅଧିକ କିଛି କଟକଣା ଲାଗୁ ପାଇଁ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁ ଅବଧି ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ରଖିବା ପାଇଁ କହିଥିବା ବେଳେ ଓଡ଼ିଶା ସରକାର ଏହାକୁ ପରିବର୍ତ୍ତନ କରି ପୂର୍ବ ପରି ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରଖିଛନ୍ତି। ଏହା ସହିତ ବାଲେଶ୍ୱର ସମେତ ରାଜ୍ୟର ୧୧ ଗୋଟି କରୋନା ସଂକ୍ରମିତ ଜିଲ୍ଲାରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛିି। ଏହି ସଟଡାଉନ ସମୟରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କ୍ଲିନିକ୍‌, ହସପିଟାଲ, ନର୍ସିଂ ହୋମ ସହ ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସଟଡାଉନ୍‌ରୁ ବାଦ୍ ଦିଆଯାଇଛି। ଏହା ସହିତ ପେଟ୍ରୋଲ ପମ୍ପ୍‌, ଟେଲି କମ୍ୟୁନିକେସନ ସେବା, ବୈଦ୍ୟୁତିକ ଗଣମାଧ୍ୟମ, ପାନୀୟ ଜଳ, ବିଦ୍ୟୁତ୍ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଶିଳ୍ପାନୁଷ୍ଠାନ, ରେଳଷ୍ଟେସନରୁ ପରିବହନ ପାଇଁ ଉଦ୍ଦିଷ୍ଟ ଯାନବାହାନ ପ୍ରଭୃତିକୁ ଅନୁମତି ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ବିବାହ ଓ ଶବ ସଂସ୍କାର କାର୍ଯ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ କରାଯାଇ ପାରିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି। ତେବେ ୫ମ ପର୍ଯ୍ୟାୟ ଲକ୍ ଡାଉନ୍‌ରେ ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିବା ବେଳେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ପ୍ରଭୃତି ଶିକ୍ଷାନୁଷ୍ଠାନ ଜୁଲାଇ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଧର୍ମୀୟ ଅନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ କଟକଣା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ରହିବା ସହ ଧାର୍ମିକ, ସାମାଜିକ, ସାଂସ୍କୃତି ଓ ମନୋରଂଜନ ଭିତ୍ତିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିଭଳି ଅଧିକ ଜନସମାଗମ ଆଶଙ୍କା ଥିବା ସିନେମା ହଲ, ପବ୍ଲିକ ପାର୍କ, ଜିମ୍‌, ଅଡ଼ିଟରିୟମ ପ୍ରଭୃତି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।