Odiapua.com

୧୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହେବା ଘଟଣା, କେସ୍ ରିଓପନିଂ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦଶ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହେବା ଘଟଣାରେ ତିହିଡି ପୁଲିସ୍ ମୁଖ୍ୟ ଅଭିଯୁକ୍ତଙ୍କୁ ଏ ଯାଏ ଗିରଫ ହୋଇନି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୁଣି ବେଲ୍‌ରେ ଆସିଥିଲେ ମଧ୍ୟ ଏଯାଏ ଜବତ ହୋଇପାରିନି ସୁନାଗହଣା । ବାରମ୍ବାର ଥାନାକୁ ଦୌଡିବା ପରେ ନିରାଶ ଘରମାଲିକ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଏହି ଅପିଲ ଗ୍ରହଣ କରି ଭଦ୍ରକ ଏସ୍‌ଡିଜେଏମ୍‌ଙ୍କୁ ନିର୍ଦ୍ଦେଶ ଦେବା ପରେ ମାନ୍ୟବର ତଳ କୋର୍ଟ ଏହି କେଶ୍‌କୁ ରିଓପନିଂ କରି ଖାନ୍ତଲାସ କରିବାକୁ ତିହିଡି ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । କେଶ୍ ନଂ ୪୨୮/୨୦୧୯ ଓ ଜିଆରକେଶ୍ କେଶ୍ ନଂ ୧୮୧୮ କୁ ପୁଣି ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏବେ ପୁଲିସ୍ ପାଇଁ ଚିନ୍ତାର କାରଣ ହୋଇଛି । ଏହି ତଦନ୍ତ ହେଲେ ସୁନାଗହଣା ମିଳିବ କି ନାହିଁ, ଅନ୍ୟତମ ଅଭିଯୁକ୍ତ ଗିରଫ ହେବେ କି ନାହିଁ, ତାହା ସମୟ କହିବ । ଜଣାଯାଏ ଗତ ସେପ୍ଟେମ୍ବର ମାସରେ ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ପଂଚାୟତ ଘନଶ୍ୟାମ ମିଶ୍ରଙ୍କ ଘରେ ଚୋରି ହୋଇଥିଲା । ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୫୨ ହଜାର ଟଙ୍କା ଚୋରମାନେ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଘନଶ୍ୟାମ ମିଶ୍ରଙ୍କ ପରିବାର ଲୋକ ଘରେ ତାଲା ଦେଇ କଲିକତା ଦୁର୍ଗାପୂଜା ଦେଖିବା ପାଇଁ ଯାଇଥିଲେ । ଏହାର ସୁଯୋଗ ନେଇ ଦୃବୁର୍ତ୍ତମାନେ ସ୍କାଏଲାଇଟ୍ ଭାଙ୍ଗି ଘରେ ପଶି ଗଡରେଜ୍ ତାଲା ଭାଙ୍ଗି ସୁନା ଗହଣା ଲୁଟ୍ କରିବା ପରେ ଅନ୍ୟ ଘରର ତାଲା ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟ୍ କରିଥିଲେ । ପଡୋଶୀଙ୍କ ଠାରୁ ଖବର ପାଇ ଘନଶ୍ୟାମ ମିଶ୍ର ତୁରନ୍ତ କୋଲକାତାରୁ ଘରକୁ ଫେରିଆସି ପୁଲିସ୍ ଉପସ୍ଥିତିରେ ନିଜ ଘରକୁ ପ୍ରବେଶ କରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା ।

ପୁଲିସ୍ ତଦନ୍ତ କରି କୌଣସି ନିର୍ଯାସରେ ପହଞ୍ôଚ ପାରିନଥିଲେ । ସ୍କାଏଲାଇଟ୍ ଭଙ୍ଗାଯାଇଥିବା କାରଣରୁ ଚୋରମାନେ ଏହି ସ୍କାଏଲାଇଟ୍ ଦେଇ ଗଳି ଆସିଥିଲେ । ସେମାନଙ୍କ ଦେହରେ ଆଞ୍ଚୁଡା କ୍ଷେତ ଚିହ୍ନଥିବା ସନ୍ଦେହ କରାଯାଉଥିଲା । ଚୋରି କରିଥିବା ଯୁବକ ଖବର ପାଇ ବାଙ୍ଗାଲୁରୁ ଚାଲିଯାଇଥିଲା । ସେଠାରୁ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଅଣାଯାଇ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସେଥିରେ ସେ ଚୋରି କରିଥିବା ମାନିଥିଲା । ତା ସହିତ ଅନ୍ୟ ଦୁଇଜଣ ସାମିଲ ଥିବା ଜଣାଯାଇଥିଲା । ଅଭିଯୁକ୍ତକୁ ପୁଲିସ୍ ଗିରଫ କରିବା ସହ ତା ସହିତ ସାମିଲ ଥିବା ଅନ୍ୟ ଜଣଙ୍କୁ ଗିରଫ କରିଥିଲା । ହେଲେ ଏହି ଚୋରିର ମୁଖ୍ୟ ନାୟକର ପଲିଗ୍ରାଫ ଟେଷ୍ଟ କରାଗଲା ନାହିଁ । ଯାହାଫଳରେ ଚୋରି କରିଥିବା ସୁନାଗହଣା ଆଜିଯାଏ ଧରା ପଡୁନାହିଁ । ଏମାନଙ୍କ ସହିତ ଜଡିତ ଥିବା ଅନ୍ୟ ଜଣେ ଚୋରଙ୍କୁ ମଧ୍ୟ ଧରିବାରେ ପୁଲିସ୍ ବିଫଳ ହୋଇଛି । ଏବେ ବେଲ୍‌ରେ ଆସିଥିବା ଏହି ଦୁଇଚୋର ସଂପୃକ୍ତ ଅଭିଯୋଗକାରୀଙ୍କୁ ଧମକ ଚମକ ଦେବା ସହ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଅଭିଯୋଗକାରୀ ଭୟଭୀତ ହୋଇପଡିଛନ୍ତି । ସଂପୃକ୍ତ ଚୋରମାନେ ଜଣେ ନେତାଙ୍କ ଛତ୍ରଛାୟା ତଳେ ରହି ଏପରି ଧମକ ଚମକ ଦେଉଥିବାବେଳେ ପୁଲିସ୍ ଅନ୍ୟ ଜଣେ ଚୋରକୁ ଧରିବାକୁ ସକ୍ଷମ ହେଉନାହିଁ ବୋଲି ଘର ମାଲିକ କୋର୍ଟରେ ଅପିଲ୍ କରିଛନ୍ତି । ଯାହାଫଳରେ ନିଜ ଓ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଚୋରି ହୋଇଥିବା ଜିନିଷ ବରାମତ ପାଇଁ ଦାବି ହୋଇଛି । କୋର୍ଟ ନିର୍ଦ୍ଦେଶ ପରେ ପୁଲିସ୍ ଏଯାଏଁ ଚୁପ୍ ରହିଛି ।