Odiapua.com

୧୦ ବର୍ଷ ହେଲା ଆଶ୍ୱାସନା ମିଳୁଛି ହେଲେ ଘରେ ଖଣ୍ଡିଏ ମିଳୁନାହିଁ , ଅସହାୟଙ୍କୁ ସରକାର ନୁହେଁ ଭଗବାନ ଭରସା

ଯୋଡା, ୧୬/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦେଶରେ ଗରିବ ହଟାଇବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ କରିଚାଲିଥିଲେ ମଧ୍ୟ ତାହା ଯେ ଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯୋଡା ବ୍ଲକ ଅନ୍ତର୍ଗତ କାଳିମାଟି ପଞ୍ଚାୟତ ଦୁବୁନା ଗ୍ରାମରେ । ଗରିବ ଲୋକଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ମାଧ୍ୟମରେ ବାସ ଗୃହଟିଏ ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ ଥିବା ବେଳେ କେହି ଅନାହାରରେ ମୃତ୍ୟୁବରଣ ନକରିବା ପାଇଁ ଅନ୍ତରଦ୍ୱୟ, ଅନ୍ନପୂର୍ଣ୍ଣା ପ୍ରଭୁତି ଯୋଜନାମାନ ସରକାର ପ୍ରଣୟନ କରିଛନ୍ତି । ତେବେ ଏହି ସବୁ ଯୋଜନା କେବଳ ବଡ ବଡିଆ ଲୋକମାନେ ହାତେଇନେଉଥିବା ବେଳେ ଗରିବ ଲୋକଟିଏ ଯେଉଁ ଗରିବକୁ ସେହି ଗରିବ ହୋଇ ରହିଯାଉଛି । ଦୁବୁନା ଗ୍ରାମର ସ୍ନେହଲତା ସୁତାରଙ୍କ ପରିବାରକୁ ଦେଖିଲେ ଯେ କେହିବି ସରକାରଙ୍କ ଏହି ଯୋଜନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବ । ଦୁବୁନା ଗ୍ରାମରେ ସ୍ନେହଲତାଙ୍କର ଝାଟିମାଟି କୁଡିଆ ଦ୍ୱି ବଖରା । ଉପରେ ଛପର ନାହିଁ, ଫଟା ପଲିଥିନ ପଡିଛି, ବର୍ଷା ହେଲେ ବାହାର ଭିତର ଏକାକାର । ଘର ଭିତରେ ଠାଏ ଠାଏ ହାଣ୍ଡି, ଡେକଚି ବସାଇ ବର୍ଷା ପାଣି ରୋକିବାକୁ ସଂଘର୍ଷ କରିବାକୁ ପଡେ । ଖରା ହେଲେ ଅସହ୍ୟ ଗୁଳୁଗୁଳି ଭିତରେ ଜୀବନ ବିତେ । ଘରେ ତାଙ୍କ ପୁଅ, ବୋହୁ, ନାତୀ, ନାତୁଣୀ ୫ ପ୍ରାଣୀ କୁଟୁମ୍ବକୁ ନେଇ ଏହାରି ଭିତରେ ସେ ଜୀବନ କାଟନ୍ତି । ସ୍ୱାମୀ ୧୦ ବର୍ଷ ତଳେ ଛାଡି ଆରପାରିକୁ ଚାଲିଯାଇଛନ୍ତି । ପୁଅ ଭାବଗ୍ରାହୀ ଜଣେ ଭିନ୍ନକ୍ଷମ । ୬ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ସତ କିନ୍ତୁ ଯୁବା ବୟସରେ ପାଲଟିଗଲେ ଭିନ୍ନକ୍ଷମ । ଏବେ ମା ସ୍ନେହଲତାଙ୍କ ଉପରେ ତାଙ୍କ ପରିବାର ବୋଝ । ମୁଲ ଲାଗି ଯାହା ଆଣନ୍ତି ପେଟକୁ ନିଅଣ୍ଟ । ଘର କରିବା ତ ଦୂର କଥା । ଘର ଖଣ୍ଡେ ପାଇଁ ବାରମ୍ବାର ବ୍ଲକ ଅଫିସ୍ ଦୌଡି ଦୌଡି ସେ ନୟାନ୍ତ ହୋଇପଡିଛନ୍ତି । ପ୍ରତିଥର ତାଙ୍କୁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ସହ ଆଶ୍ୱାସନା ମିଳେ କିନ୍ତୁ ଘର ଖଣ୍ଡିଏ ମିଳିପାରିନାହିଁ । କାମ ବନ୍ଦ କରି ବାରମ୍ବାର ବ୍ଲକ ଅଫିସ୍ ଦୌଡିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏବେ ସୂତା ଖିଅରେ ଝୁଲୁଛି ତାଙ୍କ ପରିବାରର ଭବିଶ୍ୟତ । ଏ ନେଇ ସେ କୁହନ୍ତି ଯେ, ପରିବାର ଦୁର୍ଦ୍ଦଶା ଦେଖିବା ତାଙ୍କ ପକ୍ଷେ ଅସହ୍ୟ ହୋଇପଡିଛି । ଏଥର ଘର ଖଣ୍ଡେ ସରକାରଙ୍କ ପକ୍ଷରୁ ନମିଳିଲେ ସେ ନିଶ୍ଚୟ ବିଷ ଖାଇବେ ବୋଲି ଗଣମାଧ୍ୟମରେ କ୍ଷୋଭର ସହ କୁହନ୍ତି । ତାଙ୍କୁ ବାସଗୃହଟିଏ ଯୋଗାଇଦେବା ପାଇଁ ତାଙ୍କ ପାଖ ପଡୋଶୀମାନେ ଦାବି କରିଛନ୍ତି ।