Odiapua.com

୧୦୩ ବର୍ଷରେ ପହଂଚିଲା ନୂଆପାଟଣା ଲକ୍ଷ୍ମୀନାରାୟଣ ପୂଜା, ଛେରାପହଁରା କଲେ ୫ଶହରୁ ଅଧିକ ମାନସିକଧାରୀ ଭକ୍ତ

??????

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଅବିଭକ୍ତ ସିନ୍ଦୋଳ ପଂଚାୟତର ସାଂସ୍କୃତିକ ଗଣପର୍ବ ‘ଲକ୍ଷ୍ମୀନାରାୟଣ’ ପୂଜା କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଛି । ୧୯୨୨ ମସିହାରୁ ନୂଆପାଟଣା ଗାଁ ତଥା ଆଖପାଖ ଲୋକମାନଙ୍କର ସହଯୋଗରେ ଏଠାରେ ୭ଦିନ ଧରି ପାଳିତ ହୋଇ ଆସୁଥିବା ‘ଲକ୍ଷ୍ମୀନାରାୟଣ’ ପୂଜା ଚଳିତ ବର୍ଷ ୧୦୩ ବର୍ଷରେ ପଦାର୍ପଣ କରିଛି। ମଙ୍ଗଳବାର ଅଧିବାସ କାର୍ଯ୍ୟ ସମାପନ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଲକ୍ଷ୍ମୀନାରାୟଣଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉଙ୍କ କଳସ ଆଗରେ ୫ଶହରୁ ଅଧିକ ମାନସିକଧାରୀ ଭକ୍ତ ଦୀର୍ଘ ଦେଢ଼ କିଲୋମିଟର ରାସ୍ତା ଛେରା ପହଁରା କରିଥିଲେ। ଏଥିସହ ହଜାର ହଜାର ଶ୍ରଦ୍ଧାଳୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ନେତ୍ରପଣା ଭୋଗ ଲାଗାଇଥିବା ବେଳେ ୫୦ହଜାରରୁ ଅଧିକ ଲୋକଙ୍କର ସମାଗମ ହୋଇଥିଲା। ପ୍ରକାଶ ଯେ, ୧୯୨୨ ମସିହାରେ ସିନ୍ଦୋଳ ନୂଆପାଟଣା ଗାଁର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସ, ସ୍ୱର୍ଗତ ବଟକୃଷ୍ଣ ଦାସ ପିଲାବେଳେ ଧୂଳି ବାଲିରେ ଖେଳୁ ଖେଳୁ କୌତୁହଳ ସ୍ୱରୂପ କାଦୁଅରେ ଲକ୍ଷ୍ମୀନାରାୟଣଙ୍କ ଅଧାଗଢ଼ା ମୂର୍ତିଟିଏ ତିଆରି କରିଦେଇ ଖେଳି ସାରିବା ପରେ ଯେ ଯାହା ଘରକୁ ଚାଲିଯାଇଥିଲେ । ସେହିଦିନ ରାତିରେ ବାବା ନାରାୟଣଙ୍କ ସ୍ୱପ୍ନାଦେଶ ହେବାରୁ ଗ୍ରାମର ସ୍ୱର୍ଗତ ତଉଲି ଦାସ, ସ୍ୱର୍ଗତ ବୁଦ୍ଧିରାମ ବାରିକ, ସ୍ୱର୍ଗତ କୃପାସିନ୍ଧୁ ସାହୁ, ସ୍ୱର୍ଗତ ଭଗବାନ ବାରିକ, ସ୍ୱର୍ଗତ ପଦନ ବାରିକ ପ୍ରମୁଖଙ୍କ ଉଦ୍ୟମରେ ୧୯୨୨ ମସିହାରେ ଏକ ଅସ୍ଥାୟୀ ଚାଳଛପର ଘର ତିଆରି କରି ପୂଜା ବିଧି ଆରମ୍ଭ କରାଯାଥିଲା। ସେହି ବର୍ଷ ଠାରୁ କୁମାର ପୂର୍ଣ୍ଣମୀରେ ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ବାର୍ଷିକ ପୂଜା ମହୋତ୍ସବ ପାଳିତ ହୋଇ ଆସୁଛି। ଏବେ ଏଠାରେ ସ୍ଥାୟୀ ମନ୍ଦିର ନିର୍ମାଣ ସହ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀଙ୍କର ପ୍ରସ୍ତରୀ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରାଯାଉଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପୂଜା ମହୋତ୍ସବ ୭ଦିନ ଧରି ମହା ଅଡ଼ମ୍ବର ସହକାରେ ପାଳିତ ହେବ। ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ପୂଜା କମିଟିର ସଭାପତି କାଳନ୍ଦୀ ଚରଣ ଦାସ, ସମ୍ପାଦକ କପିଳେନ୍ଦ୍ର ବାରିକ, ପ୍ରଦୀପ କୁମାର ଦାସ, ଘନଶ୍ୟାମ ପରିଡ଼ା, ସୁଧାକର ଜେନା, ଜଗବନ୍ଧୁ ବାରିକ, ନନ୍ଦକିଶୋର ବାରିକ, ପ୍ରତାପ କୁମାର ଲେଙ୍କା, ମନୋଜ କୁମାର ସାହୁ, ରତିକାନ୍ତ ବାରିକ, ଶଙ୍କର୍ଷଣ ଜେନା, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ସୁଦର୍ଶନ ନାୟକ, କପିଳେନ୍ଦ୍ର ପରିଡ଼ା, ସନ୍ତୋଷ ବେହେରା, ନାରାୟଣ ବାରିକଙ୍କ ସମେତ ଗ୍ରାମବାସୀମା ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।