Odiapua.com

୧୦୦ ବର୍ଷରେ ପଦାର୍ପଣ କଲା ସିନ୍ଦୋଳ ନୂଆପାଟଣା ଲକ୍ଷ୍ମୀନାରାୟଣ ପୂଜା, ଆସନ୍ତାକାଲି ଏକାସହିତ ପୂଜା ପାଇବେ ଲକ୍ଷ୍ମୀ-ସରସ୍ୱତୀ-ନାରାୟଣ, ୨କି.ମି. ବାଟ ହେବ ଛୋରପହଁରା

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତର ନୂଆପାଟଣା ଗ୍ରାମରେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀନାରାୟଣ ପୂଜା ଚଳିତ ବର୍ଷ ୧୦୦ ବର୍ଷରେ ପଦାର୍ପଣ କରିଛି । ପାରମ୍ପିକ ବିଧି ଅନୁସାରେ ଆସନ୍ତା କାଲି ମଙ୍ଗଳବାର ଲକ୍ଷ୍ମୀନାରାୟଣଙ୍କ ପୂଜାବିଧି ଅନୁଷ୍ଠିତ ହେବ । ପ୍ରକାଶ ଯେ, ୧୯୨୨ ମସିହାରୁ ପ୍ରଥମେ ନୂଆପାଟଣା ଗାଁ ତଥା ଆଖପାଖ ଲୋକମାନଙ୍କର ସହଯୋଗରେ ମୃଣ୍ମୟ ମୂର୍ତ୍ତି ତିଆରି କରାଯାଇ ‘ଲକ୍ଷ୍ମୀ ନାରାୟଣ’ ପୂଜା ହୋଇ ଆସୁଥିଲା ।୨୦୦୫ ମସିହାଠାରୁ ଗ୍ରାମରେ ସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ପ୍ରସ୍ତର ବିଗ୍ରହ ସ୍ଥାପନ କରାଯାଇ ୭ଦିନ ଧରି ଧୁମ୍‌ଧାମ୍‌ରେ ଲକ୍ଷ୍ମୀନାରାୟଣଙ୍କର ପୂଜାର୍ଚ୍ଚନା କରାଯାଉଛି । ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣ ପର୍ବ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛି । ପୁରୀରେ ଠାକୁର ରାଜା ରଥରେ ଛେରା ପହଁରା କରୁଥିବା ବେଳେ ଏଠାରେ ଶହ ଶହ ଆବାଳ ବୃଦ୍ଧ ବନିତା ପ୍ରଭୁଙ୍କ ବିଜେ କଳସ ଆଗରେ ଛେରା ପହଁରା କରିଥାନ୍ତି ନିଜର ମାନସିକ ପୂରଣ ପାଇଁ । ମାନପଣ୍ଡା ପୋଖରୀ ଠାରୁ ନୂଆପାଟଣା ଗ୍ରାମ ପ୍ରାୟ ୨ କିଲୋମିଟର ରାସ୍ତା ଚାଲେ ଛେରା ପହଁରାରେ । ଅପରପକ୍ଷେ ଏଠାରେ କଳସ ସ୍ଥାପନ ପରେ ନେତ୍ରପଣା ଭୋଗ କରାଯିବାର ପରମ୍ପରା ରହିଛି । ଏହି ନେତ୍ରପଣା ପାଇଁ ପୂର୍ବରୁ ହଜାର ହଜାର ଭକ୍ତ ଓ ଉଷେଇତିମାନେ ଲମ୍ବା ଧାଡ଼ିରେ ରହି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ଘଟଣା ଅଧିକ ଚର୍ଚ୍ଚିତ ହୋଇଥାଏ ।

ଏଠାରେ ଦୀର୍ଘ ୧୦୦ ବର୍ଷ ହେଲା କୁମାର ପୂର୍ଣ୍ଣମୀରେ ଶାରଦୀୟ ଲକ୍ଷ୍ମୀନାରୟଣ ପୂଜା ମହା ସମାରୋହରେ ପାଳିତ ହୋଇ ଆସୁଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ଗଣ ପର୍ବ ଭାବରେ ପାଳିତ ହେଉଛି । ସମଗ୍ର ତିହିଡ଼ି ବ୍ଲକରେ ଗଢ଼ି ଉଠିଛି ଅନେକ ଛୋଟବଡ଼ ଅନୁଷ୍ଠାନ ଏବଂ ଏମାନଙ୍କ ଉଦ୍ୟମରେ ପ୍ରତିବର୍ଷ ପାଳିତ ହେଉଛି ଲକ୍ଷ୍ମୀନାରାୟଣ ପୂଜା । ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ସିନ୍ଦୋଳ ଠାରେ ଅନ୍ୟ ଏକ ଅନୁଷ୍ଠାନ ୧୯୭୫ ମସିହାରୁ ପାଳନ କରି ଆସୁଛି ଏହି ପର୍ବ । ଏବେ ଏଠାରେ ମଧ୍ୟ ପ୍ରସ୍ତର ମନ୍ଦିର ଓ ମାର୍ବଲ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଖାଲି ସେତିକି ନୁହେଁ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର କନାଟିଆ ଗ୍ରାମରେ ସ୍ୱର୍ଗତ ଗୋଲକ ପ୍ରସାଦ ଲେଙ୍କାଙ୍କ ବ୍ୟକ୍ତିଗତ ଉଦ୍ୟମରେ ୧୯୬୫ରୁ ଲକ୍ଷ୍ମୀନାରାୟଣ ପୂଜା ଜାକଯମକରେ ଅନୁଷ୍ଠିତ ହୋଇ ଆସୁଛି । କୁମାର ପୂର୍ଣ୍ଣିମା ଠାରୁ ୭ଦିନ ବ୍ୟାପୀ ଏହି ଅଞ୍ଚଳ ଯେମିତି ନାରାୟଣ ନାରାୟଣ ଧ୍ୱନିରେ ଉଛୁଳି ପଡ଼େ । ବିଭୂ ପ୍ରେମରେ ବିଭୋର ହୁଅନ୍ତି ଆବାଳ ବୃଦ୍ଧ ବନିତା । ଖାଲି ସେତିକି ନୁହେଁ ପୂଜା ମଣ୍ଡପ ନିକଟରେ ମିନାବଜାର, ରାମ ଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାରର ପସରା ମେଲିଥାଏ । ଯେଉଁଥି ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ପାଲା ପରିବେଷଣ ସହିତ ବିଭିନ୍ନ ଅପେରା ପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ପରମ୍ପରା ଉପରେ ରୋକ୍ ଲାଗିଛି । କେବଳ ବିଧି ରକ୍ଷା ପାଇଁ ସମ୍ପୂର୍ଣ୍ଣ କଟକଣା ନୀୟମ ମାନି ଏଠାରେ ଚଳିତ ବର୍ଷ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।