Odiapua.com

୧୦ମାସ ପରେ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖୋଲିଲା

ନୟାଗଡ଼, ୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ହେଲା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ (ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ)ଶ୍ରେଣୀ ବନ୍ଦ ରହିବା ପରେ ଶୁକ୍ରମାର ଖୋଲିଛି। ସରକାର ମହାମାରୀ କରୋନାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଗତ ମାର୍ଚ୍ଚମାସ ଠାରୁ ସ୍କୁଲ ଓ ଯୁକ୍ତ ଦୁଇ ବିଦ୍ୟାଳୟ ବନ୍ଦ ରଖିଥିଲେ। ସରକାରୀ କଟକଣା ଭିତରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ଭିତରେ ବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ପାଠପଢାରେ ଦୀର୍ଘଦିନ ହେଲା ଡୋରିବାନ୍ଧି ରହିଥିବାବେଳେ ଆଜି ସେମାନଙ୍କର ଯେମିତି ପ୍ରଥମ ଗୃହ ପ୍ରବେଶ ପରି ମନେହେଉଥିଲା। ଜିଲାରେ ୨୩୨ଟି ସରକାରୀ ଓ ବେସରକାରୀ ସ୍କୁଲ ଆଜି ଖୋଲିଥିବାବେଳେ ୪୦ରୁୁ ଉର୍ଦ୍ଧ୍ୱ ଯୁକ୍ତ ଦୁଇ ବିଦ୍ୟାଳୟ ଖୋଲିଛି ଏବଂ ପ୍ରାୟ ୩୫ହଜାର ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଦ ଦେଇଛନ୍ତି। ଏଥିପାଇଁ ବିଦ୍ୟାଳୟର ପରିବେଶ ନିର୍ମଳ ହେବା ସଙ୍ଗେ ସଙ୍ଗେ ଶ୍ରେଣୀଗୃହ, ପାଇଖାନା, ପରିସ୍ରାଗାର ଆଦି ବିଭିନ୍ ପ୍ରକୋଷ୍ଠ ସାନିଟାଇଜେସନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ସତର୍କ ଦୃଷ୍ଟି ରଖିଥିବାରୁ ବିଦ୍ୟାଳୟମାନଙ୍କରେ ଏହିସବୁ ପ୍ରତି ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ଗାଇଡ଼ଲାଇନ୍‌ରେ ବିଦ୍ୟାଳୟ ଖୋଲିଥିବାବେଳେ ଏବଂ କରୋନା ପରବର୍ତ୍ତୀ ପ୍ରଥମ ପାଠପଢା ପାଇଁ ଶିକ୍ଷକ ଓ ଅଣଶିକ୍ଷ୍‌କ କର୍ମଚାରୀମାମେ କର୍ମ ତତ୍ପର ହୋଇଉଠିଛନ୍ତି। ଏହି ଅବସରରେ ଜିଲା ନୋଡ଼ାଲ ଅଫିସର ଡ.ବିଜୟ ପାତ୍ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପାଠପଢା ଏବଂ ଶ୍ରେଣୀକକ୍ଷ ଓ ପରିବେଶ ଉପଯୁକ୍ତ ଥିବା ଦର୍ଶାଇବା ପରେ ଜିଲାପାଳ ଡ. ପୋମା ଟୁଡୁ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କରୋନା କଟକଣା ପରେ ଛାତ୍ରଛାତ୍ରୀଙ୍କ ପ୍ରଥମ ବିଦ୍ୟାଳୟ ଗୃହ ପ୍ରବେଶକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ନିଜ ନିଜର ଘୋଷଣାନାମା ଦେଇଥିବା ଦେଖିବାକୁ ମିଳିଥିଲା।