Odiapua.com

୧୦ଟଙ୍କା ନାହିଁ ତ ରିଲିଫ ନାହିଁ : ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଜବ ବୟାନ ; ଅଖା ପାଇଁ ନିଆଯାଉଛି ଟଙ୍କା : ବିପନ୍ନଙ୍କ ଅଭିଯୋଗ ପରେ ବିଡିଓଙ୍କ ପକ୍ଷରୁ ତଦନ୍ତ ଆରମ୍ଭ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟାରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ୫୦କେଜି ଚାଉଳ ସାଙ୍ଗକୁ ୫ଶହ ଟଙ୍କା। ହେଲେ ବଡବଡିଆ ବାବୁମାନେ ଏହାର ସୁଯୋଗ ନେଇ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରିବା ସହ ନିଜ ଇଛାରେ ରିଲିଫ ସାମଗ୍ରୀ ବାଣ୍ଟୁଛନ୍ତି ତ ଆଉ କେଉଁଠି ହାତ ଗୁଞା ନଦେଲେ ରିଲିଫ ମିଳିବ ନାହିଁ ବୋଲି ରୋକଠୋକ ଭାବେ ମନା କରି ଦିଆଯାଉଛି। ପଚାରିଲେ ମିଳୁଛି ଧମକ। ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତରେ। ବୈତରଣୀ ନଦୀରେ ଆସିଥିବା ଚଳିତ ବନ୍ୟାରେ ଚାନ୍ଦବାଲିର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁ ପଞ୍ଚାୟତରେ ପୂର୍ଣ୍ଣିମା ଜୁଆର ଯୋଗୁ ଦୀର୍ଘଦିନ ଧରି ବନ୍ୟାପାଣି ଜମି ରହିବା ଦ୍ୱାରା ଆରଡି, ମୁଆଁ, ସନ୍ତରା, ସିଙ୍ଗିପୁର, ଆଦି ୧୫ଗୋଟି ଗାଁ ଦୀର୍ଘଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିବା ସହିତ ଲୋକମାନଙ୍କର ବାସ ଓ ଚାଷ ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଥିଲା। ଏବେ ବନ୍ୟା ଛାଡିବାର ଦୀର୍ଘ ୨୫ଦିନ ପରେ ଆରଡି ଅଞ୍ଚଳରେ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ ଚାଲିଥିଲେ ମଧ୍ୟ। ପଞ୍ଚାୟତ ଅଧିକାରୀ ଓ ଦାୟୀତ୍ୱରେ ଥିବା ଶିକ୍ଷକମାନେ ମିଳିମିଶି ରିଲିଫ ଚାଉଳକୁ ହଡପ କରିବା ପାଇଁ ସରକାରୀ ନିୟମକୁ ଫୁ କରି ବିପନ୍ନଙ୍କୁ ରିଲିଫ ବଣ୍ଟନ ବେଳେ ଚାଉଳ ଓଜନ ନକରିବା ସହ ଅଖା ବାବଦକୁ ୧୦ଟଙ୍କା ନେଉଥିବା ବିପନ୍ନମାନେ ଅଭିଯୋଗ ଆଣିଛନ୍ତି। ଏପରିକି ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ବିପନ୍ନ ପରିବାରକୁ ୫୦କେଜି ଚାଉଳ ଦେବାକୁ ଥିବା ବେଳେ ୩/୪ କିଲୋ ଚାଉଳ କାଟି ଦିଆଯାଉଥିବା ଶ୍ରୀକାନ୍ତ ପାଢୀ, ଶଶଧର ବିଶ୍ୱାଳ, ବୁଦ୍ଧିରାମ ପାଢୀ, ବଳରାମ ପାଢୀ, ପପୁନ ପାଢିଙ୍କ ଭଳି ବହୁବିପନ୍ନ ପ୍ରକାଶ କରିଛନ୍ତି। ଏପରିକି ୧୦ ଟଙ୍କା ନଦେଲେ ରିଲିଫ ଦିଆଯିବ ନାହିଁ ବୋଲି ରୋକଠୋକ ଭାବେ ମନା କରୁଛନ୍ତି ପଞ୍ଚାୟତ ଅଧିକାରୀ ସଂଜୟ ଦାସ। ଏପରି ବାବଦରେ ଶ୍ରୀ ଦାସଙ୍କୁ ପଚାରିବାରୁ ବିଡିଓଙ୍କ ପକ୍ଷରୁ ହ୍ୱାଟସପ ଯୋଗେ ନିର୍ଦେଶ ରହିଛି ଚାଉଳ ବୁରା ବାବଦକୁ ୧୦ ଟଙ୍କା ନିଆଯିବା ପାଇଁ। ଏପଟେ ବିପନ୍ନମାନେ ଏପରି ଟଙ୍କା ବାବଦରେ ପ୍ରତିବାଦ କରିବାରୁ ତମକୁ ଉତ୍ତର ଆମେ ଦେଇ ପାରିବୁ ନାହିଁ ବୋଲି ମନା କରିବା ସହ ହ୍ୱାଟସପ ଚେକ କର ଭଲଭାବେ ଜାଣି ପାରିବ ବୋଲି ବିବୃତି ଦେଇଥିଲେ। ପରେ ଏପରି ସମସ୍ୟା ବାବଦରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚାଲିଛି। ତାହାସହ ଏପରି କାର୍ଯ୍ୟ ଅର୍ଥାତ ରିଲିଫ ବାବଦକୁ ଟଙ୍କା ନେବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟରୁ କୈାଣସି ନିର୍ଦେଶନାମା କିମ୍ବା ହ୍ୱାଟସପ କରାଯାଇନାହିଁ। ଦାୟୀତ୍ୱରେ ଥିବା ନିର୍ବାହୀଅଧିକାରୀ ଓ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।