ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସୁନାମୀର ମୁକାବିଲା ପାଇଁ କିଭଳି ଆଗୁଆ ପ୍ରସ୍ତୁତି ଜନିତ ପଦକ୍ଷେପ (ରେଡି) ନିଆଯାଇଛି, ତାହା ଦେଖିବା ପାଇଁ ଆଜି ଦିଲ୍ଲୀରୁ ଆସିଥିବା ଏକ ୟୁନିସେଫ୍ ଟିମ୍ ଭଦ୍ରକ ଜିଲାର ୟୁନିସେଫ୍ ଦ୍ୱାରା ପୁରସ୍କୃତ ବାସୁଦେବପୁର ଅଧୀନସ୍ଥ ୪ଟି ଗ୍ରାମ ମୋହନପୁର, ସାନକୃଷ୍ଣପୁର, ଅଢୁଆଁ ଓ ବଡ ହାବେଳିସାହିକୁ ଆସି ତାହା ପରିଦର୍ଶନ କରିଛନ୍ତି। ପ୍ରଥମେ ସେମାନେ ଗ୍ରାମରେ ପହଂଚି ଗ୍ରାମର ଉପସ୍ଥିତି, ନକ୍ସା, ସ୍ଥାନାନ୍ତରିତ ମାନଚିତ୍ର ଓ ସୁନାମୀ ସମ୍ବନ୍ଧରେ ଗ୍ରାମବାସୀଙ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଦେଖିଥିଲେ। ଏହାପରେ ସେମାନେ କସିଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ପରେ ସେମାନଙ୍କ ଅବଗତି ନିମନ୍ତେ ଗ୍ରାମବାସୀମାନେ ଏକ ମକଡ୍ରିଲ୍ ମାଧ୍ୟମରେ ସୁନାମୀ ଆସିଲେ କିଭଳି ସ୍ଥାନାନ୍ତରିତ ହୁଅନ୍ତି, ତାହା ଦେଖାଇଥିଲେ। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବାର ଉତମ ଦକ୍ଷତା ଓ ସୁନାମୀ ପ୍ରସ୍ତୁତ କାର୍ଯ୍ୟକୁ ପରିଦର୍ଶନ କରିବା ନିମନ୍ତେ ମିଳିତ ଜାତିସଂଘର ଏହି ଦଳ ସାନକୃଷ୍ଣପୁର ଗ୍ରାମ ପରିଦର୍ଶନ କରିଥିଲେ। ଏବଂ ଏହି ଅଂଚଳର ଲୋକେ କିଭଳି ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଦିଗରେ ତାଲିମ୍ ନେଉଛନ୍ତି, ତାହା ସେମାନେ ଦେଖିôଥଲେ। କାହିଁକିନା ଏହି ଟିମ୍ରେ ୟୁନିସେଫ୍ ଭାରତର ମୁଖ୍ୟ କର୍ମଚାରୀ ରାଧିକା ବାତ୍ରା, ଓଡ଼ିଶା ୟୁନିସେଫ୍ର ମୁଖ୍ୟ କ୍ଷେତ୍ରୀୟ ଅଧିକାରୀ ଉଇଲିୟମ୍ ହାନଲୋନ୍, କେରଳର ଡିଏମ୍ ଅଥୋରିଟି ମେମ୍ବର ସେକ୍ରେଟାରୀ, ୟୁନିସେଫ୍ ଭାରତର ଡିଆରଆର ସେସ୍ପିଆଲିଷ୍ଟ ସର୍ବଜିତ୍ ସାହୋତା, ୟୁନିସେଫ୍ ଓଡ଼ିଶାର ଡିଆରଆର ଅଫିସର ଓମ୍କାର ଖାରେ, ୟୁନିସେଫ୍ ଅଫିସ୍ ବାଲାଂଦେଶର କ୍ଲାଇମେଟ୍ ସ୍ପେଶିଆଲିଷ୍ଟ ହର୍ସଦାଜୀ, ୟୁନସେଫ୍ ଶ୍ରୀଲଙ୍କାର ଖାଦ୍ୟ ଓ କୃଷି ଅର୍ଗାନାଇଜେସନ୍ର କର୍ମକର୍ତା, ଜର୍ମାନୀର ଇଣ୍ଡରନେସନାଲ ରେଡକ୍ରସ୍ର ଗୌରବ ରାୟ, ରିଲିଆନ୍ସ ଫାଉଣ୍ଡେସନର ହେଡ୍ ଷ୍ଟ୍ରାଟେଜି ବନିତା ଶର୍ମା ଓ ରିଲିଆନ୍ସ ଫାଉଣ୍ଡେସନର ଡିଜାଷ୍ଟାର ମ୍ୟାନେଜମେଂଟର ମୁଖ୍ୟ ଅନିମେଶ ପ୍ରକାଶ ପ୍ରମୁଖ ଏହି ଟିମ୍ରେ ରହିଥିଲେ। ବିଶେଷକରି ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ଦିବସରେ ଚଳିତବର୍ଷ ଭଦ୍ରକ ଜିଲା ପୁରଷ୍କୃତ ହୋଇଥିବାବେଳେ ସୁନାମୀର ମୁକାବିଲା ପାଇଁ ବାସୁଦେବପୁରର ୪ଟି ଗ୍ରାମର ଲୋକଙ୍କୁ ଯେଭଳି ତାଲିମ୍ ଦିଆଯାଇଛି, ତାହାର ସମସ୍ତ ପ୍ରକ୍ରିୟା ଏହି ଟିମ୍ ପରଖିବା ସହ ସେମାନଙ୍କ ସହ ବାର୍ତାଳପ କରିଛନ୍ତି। କାହିଁକିନା ଶ୍ରୀଲଙ୍କା, ବାଲାଂଦେଶ, ଇଣ୍ଡୋନେସିଆ, ମାଲଦ୍ୱୀପ ଭଳି ସୁନାମୀ ବିପର୍ଯ୍ୟସ୍ତ ଦେଶରେ କିଭଳି ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରାଯାଇପାରିବ, ତାହା ଏହି ଟିମ୍ ଭଦ୍ରକ ଜିଲାର ଉପରୋକ୍ତ ୪ଟି ଅଂଚଳରୁ ଶିକ୍ଷାଲାଭ କରିଛନ୍ତି ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ଆଜି ସେମାନଙ୍କୁ ସାକ୍ଷାତକାର କରିବା ଅବସରରେ ଗଣମାଧ୍ୟମକୁ କହିଛନ୍ତି। ଆଜି ଜିଲାପାଳଙ୍କୁ ଭେଟିବା ସମୟରେ ଏହି ଟିମ୍ ସହ ଜିଲା ଜରୁରୀ କାଳୀନ ଅଧିକାରୀ ତନ୍ମିତା କର, ଜିଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ ଅନୁପମ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।