Odiapua.com

ୟୁଥ ଫର ସେବା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବଗୋଷ୍ଠୀଙ୍କ ମଧ୍ୟରେ ସେବା ମନବୃତ୍ତି ରଖିବାର ଚିନ୍ତା ଚେତନା ନେଇ ‘ୟୁଥ୍ ଫର ସେବା’ ପକ୍ଷରୁ ମା’ ଭଦ୍ରକାଳୀଙ୍କ ପୀଠରେ ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି । ସ୍ୱାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଜନ୍ମ ନେଇଥିବା ଏହି ସଂଗଠନ ତା’ର ୧୦ମ ବାର୍ଷିକ ଉତ୍ସବ ମଧ୍ୟ ପାଳନ କରିଛି । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଆଜିର ଯୁବ ପିଢିଙ୍କ ନିକଟରେ ସେବା ମନବୃତ୍ତି ଜାଗ୍ରତ କରିବା ପାଇଁ ୟୁଥ୍ ଫର ସେବା ସଂଗଠନ ପକ୍ଷରୁ ନିଆଯାଉଥିବା ସାମଗ୍ରିକ କାର୍ଯ୍ୟର ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହି ସଂଗଠନ ବହୁ ଉପାଦେୟ ପଦକ୍ଷେପ ନେଇ ସମାଜ ତଥା ଯୁବପିଢିଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁ ବୋଲି ପରାମର୍ଶ ଦେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତାକୁ ଗ୍ରହଣ କରି ତାଙ୍କ ଆଦର୍ଶକୁ ପାଥେୟ କରି ଚାଲିଲେ ଯୁବ ପିଢି ନିଶ୍ଚିତ ସୁପଥରେ ପଥିକ ହୋଇ ପାରିବେ ବୋଲି ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ଅମ୍ବିକା ପ୍ରସନ୍ନ ଦାସ, ଚନ୍ଦ୍ରମୋହନ ମହାପାତ୍ର ପ୍ରମୁଖ କହିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ଯଥା ଖାତ, କଲମ, ପେନ୍‌ସିଲ,ବ୍ୟାଗ, ପାଣିବୋତଲ ଆଦି ପ୍ରଦାନ କରାଯାଇଥିଲା ।