Odiapua.com

ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ଜାରୀ

ସହାୟତା ପାଇଁ (+୯୧)୬୭୪୨୩୯୩୯୫୫ ଏବଂ ହ୍ୱାଟ୍ସଆପ୍ ନମ୍ବର (+୯୧)୬୩୭୦୯୫୪୨୦୩ରେ ଯୋଗାଯୋଗ କରନ୍ତୁ: ସମୀର ମହାନ୍ତି

ଭୁବନେଶ୍ୱର, ତା.୦୨/୦୩: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି। ଏହି ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ଓଡିଆଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନର ବିଭିନ୍ନ ସହରରେ ଫସିରହିଛନ୍ତି। ଯୁଦ୍ଧ କାରଣରୁ ଭୟଭୀତ ହୋଇ ଭାରତୀୟମାନେ ବର୍ତମାନ ସୀମା ପାର ହୋଇ ରୋମାନିଆ, ହଙ୍ଗେରୀ ଭଳି ଦେଶର ସୀମାବର୍ତ୍ତୀ ଅଂଚଳରେ ଲୁଚି ରହିଛନ୍ତି। ୟୁକ୍ରେନଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ମୋଦି ସରକାର ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରୀ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀ ହରଦୀପ ଶିଂହ ପୁରୀ ହଙ୍ଗେରୀ, ଜ୍ୟୋତିରାଦ୍ଧିତ ସିନ୍ଧିଆ ରୋମାନିଆ ଓ ମାଲଡୋଭ, କିରେନ ରିଜିଜୁ ସ୍ଲୋଭାକିଆ ଏବଂ ଜେନେରାଲ ଭି.କେ.ସିଂହ ପୋଲାଣ୍ଡ ଗସ୍ତ କରି ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା କାର୍ଯ୍ୟ କରୁଛନ୍ତି। ବର୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାରେ ସଫଳ ହୋଇଥିବା ମୋଦି ସରକାର ସେଠାରେ ଫସି ରହିଥିବା ଅନ୍ୟ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ୟୁକ୍ରେନ ଏବଂ ପଡୋଶୀ ରାଷ୍ଟ୍ରରେ ଫସି ରହିଥିବା ରାଜ୍ୟର ବିଭନ୍ନ ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହିତ ସେମାନଙ୍କୁ ଓଡିଶାକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓଡିଶା ଦାୟୀତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ସଂପାଦକ ଶ୍ରୀ ବିନୋଦ ତାବଡେଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଓଡିଆ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ଓଡିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ବିଜେପି ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛି ଏବଂ ଅଭିଭାବକମାନେ ଆଶ୍ୱସ୍ତ ରହିବାକୁ କହିଛନ୍ତି। ଏଥି ସହ ପ୍ରବାସୀ ଓଡିଆ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ହେଲ୍ପ ଡେସ୍କ ଖୋଲାଯାଇଛି। ଫସିଥିବା ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟମାନେ ସହାୟତା ପାଇଁ (+୯୧)୬୭୪-୨୩୯୩୯୫୫ କୁ ଡାଏଲ କରି ଏବଂ ହ୍ୱାଟ୍ସଆପ୍ ନମ୍ବର +୯୧-୬୩୭୦୯୫୪୨୦୩ରେ ଦାୟୀତ୍ୱରେ ଥିବା ରଶ୍ମୀରଂଜନ କାନୁନଗୋ ଏବଂ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସହିତ ଯୋଗାଯୋଗ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।