Odiapua.com

ହୋଲି ପୂର୍ବରୁ ନୂଆ ଥାନା ଅଧିକାରୀ ସୁବ୍ରଜିତ ଦାଶଙ୍କ ପ୍ରଥମ ସଫଳତା, ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମଦ ଜବତ

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ନୂଆ ଅଧିକାରୀ ସୁବ୍ରଜିତ ଦାଶଙ୍କ ପ୍ରଥମ ସଫଳତା ହାସଲ କରିଛନ୍ତି। ହୋଲି ପର୍ବକୁ ଲକ୍ଷ୍ୟ କରି ଚାଲିଥିବା ଅବୈଧ ମଦ ଚୋରାଚାଳାଣ ଉପରେ ଧାମନଗର ପୁଲିସ କଡ଼ା ପଦକ୍ଷେପ ନେଇଛନ୍ତି। ଧାମନଗର ଥାନାର ନୂଆଁ ଥାନାଧିକାରୀ ସୁବ୍ରଜିତ ଦାସଙ୍କ ନେତୃତ୍ୱରେ ଗତକାଲି ରାତିରେ ଏକ ମାକ୍ସ ୪-ଚକିଆ କାରରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ,କେନ୍ଦୁଝର ପକ୍ଷରୁ ଭୟା ବନ୍ତ ହୋଇ ବାରିକପୁର ମାର୍ଗରେ ଧାମନଗରକୁ ମଦ ଆଣାଯାଉଥିବା ବିଷୟରେ ଥାନାଧିକାରୀ ଗୁପ୍ତ ସୂଚନା ପାଇଥିଲେ। ଏହା ପରେ ଜାତୀୟ ରାଜପଥ ୧୬ ଉପରେ କଡ଼ା ଚେକିଂ ବ୍ୟବସ୍ଥା କରାଯାଇଥିଲା। ପୁଲିସ ଗାଡ଼ିକୁ ଦେଖି ମଦ ଗାଡ଼ି ଚାଳକ ହଠାତ୍ ଗାଡ଼ିକୁ ରାଜେନ୍ଦ୍ରପୁର ଗ୍ରାମ ରାସ୍ତାକୁ ଭର୍ତି କରି ପଳାଇବାକୁ ଚେଷ୍ଟା କରିଥିଲେ। ଥାନାଧିକାରୀଙ୍କ ନେତୃତ୍ୱରେ ପୁଲିସ ଦଳ ତୁରନ୍ତ ପିଛା କରି ଗାଡ଼ିକୁ ଅଟକାଇଥିଲା। କିନ୍ତୁ ଚାଳକ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ପଳାଇଯାଇଥିଲେ। ତଲାଶି ସମୟରେ ‘ରୟାଲ ଷ୍ଟକ୍‌’ ‘ମେଗଡଲ୍‌’ ‘ଆଇକନିକ୍‌’ ସହ ବିଭିନ୍ନ ବ୍ରାଣ୍ଡର ମଦ ସମେତ ବିଅର ମିଳିଥିଲା। ଜବତ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ପୁଲିସ ତରଫରୁ ସୂଚନା ଦିଆଯାଇଛି। ମଦ ବ୍ୟବସାୟୀ ଓ ଗାଡ଼ି ଚାଳକ ଚମ୍ପପଟ ମାରିଥିବା ବେଳେ ଗାଡ଼ିକୁ ଥାନାରେ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଏନେଇ ଧାମନଗର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଚାଳକଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି ବୋଲି ଅଧିକାରୀ ଶ୍ରୀ ଦାଶ କହିଛନ୍ତି। ଏପଟରେ ହୋଲି ପୂର୍ବରୁ ପୁଲିସର ଏହି କଡ଼ା ପଦକ୍ଷେପ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।