Odiapua.com

ହୋମଗାର୍ଡ ଆକ୍ରମଣକାରୀ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ମଂଜୁରୀ ରୋଡ୍ ଲକ୍ଷ୍ମୀବଜାରରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ ହୋମଗାର୍ଡ ସୁଶାନ୍ତ ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଥାନା କମାଣ୍ଡ ସାର୍ଟିଫିକେଟ୍ ବଳରେ ସୁଶାନ୍ତ ସେଦିନ ମଂଜୁରୀରୋଡ୍ ବଜାର ଡ୍ୟୁଟିରେ ଥିଲେ। ଏକ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଓଡି୦୨ସିଏସ-୦୧୮୮ କାର୍‌ରେ ଆସୁଥିବାବେଳେ ରାତି ପ୍ରାୟ ୧ଟା ସମୟରେ ବିଶ୍ୱଜିତ୍ କର, ଅନୀଲ କର, ରଂଜିତ କର ଓ ଅନ୍ୟ ୪/୫ ଜଣ ବ୍ୟକ୍ତି ବାଡି, କତା ଓ ଛୁରୀ ଭଳି ମାରଣାସ୍ତ୍ର ସହ ଆସି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଡ୍ୟୁଟିରେ ଥିବା ହୋମଗାର୍ଡ ସୁଶାନ୍ତ ଏହାକୁ ବିରୋଧ କରିବାରୁ ସେମାନେ ସୁଶାନ୍ତଙ୍କ ସହ କାର୍‌ରେ ଥିବା ସମସ୍ତ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରି ମୋବାଇଲ୍‌, ସ୍କୁଟି, ସୁନାଚେନ୍‌, ନଗଦ ଅର୍ଥ ଛଡାଇ ନେଇଥିଲେ। ଜଣେ କର୍ମଚାରୀଙ୍କୁ ମଧ୍ୟ ଅପହରଣ କରିନେଇଥିଲେ। ଏହି ଆକ୍ରମଣରେ ଗୁରୁତର ସୁଶାନ୍ତ ସଂଜ୍ଞାହୀନ ଅବସ୍ଥାରେ ପଡିଥିବାବେଳେ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଏହାପରେ ସୁଶାନ୍ତ ଅଭିଯୋଗ ଆଧାରରେ ଥାନାରେ କେଶ୍ ନଂ ୩୪/୨୬ ନଂ ମୂଳେ ଝୁଟୁଣା ପଂଚାୟତ ବାବଲପୁର ଗ୍ରାମର ବିଶ୍ୱଜିତ୍ କର (୪୦), ଅନୀଲ କର (୩୭), ରଣଜିତ୍ କର (୨୫) ଓ ଅନ୍ୟ ଅଜାଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୁଲିସ୍ ଅଭିଯୁକ୍ତ ବିଶ୍ୱଜିତ୍ ଓ ଅନୀଲଙ୍କୁ ଗିରଫ କରି ସୁଶାନ୍ତଙ୍କ ମୋବାଇଲ୍ ଉଦ୍ଧାର କରିଛି। ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।