Odiapua.com

ହେମନ୍ତ ଜିଲ୍ଳା ଯୁବ କଂଗ୍ରେସ ସଭାପତି ନିର୍ବାଚିତ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାର ଯୁବ କଂଗ୍ରେସ ସଭାପତି ଭାବେ ହେମନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ୪ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ସର୍ବାଧିକ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇଛନ୍ତି । ଅଲ୍ ଇଣ୍ଡିଆ ୟୁଥ୍ କଂଗ୍ରେସ ତରଫରୁ ଯୁବ କଂଗ୍ରେସର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ହୋଇଥିଲା । ଏହାର ଫଳାଫଳ ପ୍ରକାଶ ପାଇଛି । ବିଜୟୀ ହେବା ପରେ ହେମନ୍ତଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଜିଲ୍ଳାର ଯୁବକମାନଙ୍କ ମଧ୍ୟରେ ବିଶେଷ ଆନନ୍ଦ ପ୍ରକାଶ ପାଇବା ସହିତ ଉତ୍ସାହ ଦେଖା ଦେଇଛି । ବିଜୟୀ ହେବା ପରେ ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଏ ବିଜୟ ହେଉଛି ଜିଲ୍ଳାର ଯୁବଶକ୍ତିର ପରିଚୟ । ଯୁବକ ମାନଙ୍କ ପାଇଁ ତଥା ଦଳ ପାଇଁ ନିଷ୍ଠାର ସହିତ କାମ କରି ଜିଲ୍ଳାର ଯୁବକମାନଙ୍କୁ ଆଗେଇ ନେବାରେ ସହାୟକ ହେବେ । ପ୍ରତ୍ୟେକ ବୁଥ୍ ସ୍ତରକୁ ଯାଇ ଯୁବକମାନଙ୍କୁ ଏକତ୍ରିତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଯୁବଶକ୍ତି ଦ୍ୱାରା କଂଗ୍ରେସ ଦଳକୁ ମଜଭୁତ କରିବାକୁ ପ୍ରୟାସ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ଏଥି ସହିତ ଏହି ବିଜୟ ପାଇଁ ସେ ଦଳର ପୂର୍ବତନ ଜିଲ୍ଳା ସଭାପତି ସୁବ୍ରତ ଦାସ, ପିସିସି ସମ୍ପାଦକ ମନୋଜ ବିଶ୍ୱାଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ଜିଲ୍ଲା ସଭାପତି ଅଶୋକ ଦାସ, ଯୁବ କଂଗ୍ରେସ ନେତା ସତ୍ୟନାରାୟଣ ପୁହାଣ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।