ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂର୍ଯ୍ୟଶିଖା କ୍ଲବ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ହୃଦାନନ୍ଦ ମେମୋରିଆଲ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଜଗନ୍ନାଥପୁର କ୍ରିକେଟ କ୍ଳବ ସୂର୍ଯ୍ୟଶିଖା କ୍ଲବକୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି । ଜଗନ୍ନାଥପୁର କ୍ରିକେଟ କ୍ଳବ (ଜେସିସି) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୯୮ରନ କରିଥିଲା । ଦଳ ପକ୍ଷରୁ ଜିତେନ୍ଦୁ ଶେଖର ଭୋଇ ୩୧ ବଲ୍ରେ ୬୪ରନ ଓ ସୂର୍ଯ୍ୟ ଭୋଇ ୧୯ ବଳ୍ରେ ୩୭ରନ କରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ଷ୍ଟାଲିନ୍ ଲେଙ୍କା ୩ଟି ଓ ପ୍ରଶାନ୍ତ ରଣା ଗୋଟିଏ ଉଇକେଟ ନେଇଥିଲେ । ୧୯୯ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସୂର୍ଯ୍ୟଶିଖା କ୍ଳବ ୧୬ ଓଭରରେ ମାତ୍ର ୧୦୫ରନ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ । ଦଳ ୯୩ରନ୍ରେ ମ୍ୟାଚ ହାରି ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଥିଲା । ସୂର୍ଯ୍ୟଶିଖା ପକ୍ଷରୁ ରଂଜିତ ମହାକୁଡ ୨୮ ଓ ଶୁଭମ୍ ନାୟକ ୧୭ରନ କରିଥିବା ବେଳେ ଜେସିସି ପକ୍ଷରୁ କ୍ଷମାସାଗର ବଳ ଓ ସତ୍ୟକାମ ଭରଦ୍ୱାଜ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ଜିତେନ୍ଦୁ ଶେଖର ଭୋଇଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲବର ଉପସଭାପତି ଶୁଭ୍ରାଂଶୁ ଭୂଷଣ ଦାସ, ଶୁଭ୍ରକାଶ ନାୟକ, ସ୍ମୃତିି ରଂଜନ ଚୌଧୁରୀ, ଅଶ୍ୱିନୀ ଦାସ, ଜଗନ୍ନାଥ ସାହୁ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ କ୍ଳବର କ୍ରୀଡା ସମ୍ପାଦକ ବଳରାମ ଦାସ ପରିଚାଳନା କରିଥିଲେ । ଆଜି ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ, ରଂଜନ ମହାନ୍ତି ମ୍ୟାଚ ପରିଚାଳନା କରିଥିଲେ ।