ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂର୍ଯ୍ୟଶିଖା କ୍ଳବ ଆନୁକୂଲ୍ୟରେ ଆୟୋଜିତ ହୋଇ ଭଦ୍ରକ ନେହେରୁ ଷ୍ଟାଡିିୟମରେ ଚାଲୁଥିବା ହୃଦାନନ୍ଦ ମେମୋରିଆଲ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଜଗନ୍ନାଥପୁର କ୍ରିକେଟ କ୍ଲବ ଜେସିସିକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଦଳ ଫାଇନାଲକୁ ଉନ୍ନିତ ହୋଇଛି। ଜେସିସି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଧୀରଜ କୁମାର ବେହେରାଙ୍କ ୨୪ ରନ ଓ ଜୀତେନ୍ଦ୍ର ଭୋଇଙ୍କ ୧୯ ରନ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ରନ କରିଥିଲା। ଇଷ୍ଟକୋଷ୍ଟ ପକ୍ଷରୁ ଗୌରବ କୁମାର ବାରିକ ୪ ଓଭରରେ ୨୭ ରନ ଦେଇ ୨ଟି ଉଇକେଟ, ସାହିଲ ଖାନ ୪ ଓଭରରେ ମାତ୍ର ୯ ରନ ଦେଇ ୨ଟି ଉଇକେଟ ନେଇଥିଲେ। ୧୨୫ ରନର ପିଛା କରି ଇଷ୍ଟକୋଷ୍ଟ ଦଳ ୧୯ ଓଭରରେ ୭ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଓମ୍ଶ୍ରୀ ଯାଦବ ୪୨ ରନ ଏବଂ ଜ୍ୟୋତି ରଂଜନ ମହାରଣା ୩୧ ରନ କରିଥିଲେ। ଜେସିସି ପକ୍ଷରୁ କିଷାନ ମହାନ୍ତି ୨ଟି ଓ କ୍ଷିତିଶ କୁମାର ମହାନ୍ତି ୨ଟି ଉଇକେଟ ଅକ୍ତିଆର କରିଥିଲେ। ଓମ୍ଶ୍ରୀ ଯାଦବଙ୍କୁ ମ୍ୟାନ ଅପ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଏହି ମ୍ୟାଚକୁ ଶାନ୍ତନୁ କୁମାର ରାଉତ ଏବଂ ସତ୍ରବ୍ରତ ଜେନା ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟ ପୂର୍ବତନ ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟର ସୂର୍ଯ୍ୟଶିଖା କ୍ଲବ ଦ୍ୱାରା ଆୟୋଜିତ ହୋଇ ଅନୁଷ୍ଠିତ ହେଉଅଛି।