Odiapua.com

ହୀରାକୁଦ ଜଳଭଂଡ଼ାର ଅତିରିକ୍ତ ସ୍ପିଲ ୱେ ପ୍ରକଳ୍ପ ର ଉଦବାସ୍ତୁଙ୍କ ଥଇଥାନ ଚିନ୍ତା

ସମ୍ବଲପୁର, ୩୦/୧୧ (ଓଡ଼ିଆ ପୁଅ) ହୀରାକୁଦ ଡ଼୍ୟାମର ଅତିରିକ୍ତ ସ୍ପିଲ ୱେ (ଫାଟକ) ନିର୍ମାଣ ପ୍ରକଳ୍ପ ପାଇଁ ଉତବାସ୍ତୁ ହେବାକୁ ଯାଉଥିବା ପରିବାର ମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରୀୟା ଆରମ୍ବ ହୋଇଛି। ଡ଼୍ୟାମର ଉତବୃତ ମାତ୍ରାଧିକ ବନ୍ୟା ଜଳ ନିଷ୍କାସନ ପାଇଁ ଏହି ଫାଟକ ନିର୍ମାଣ କରାଯାଉଛି। ଡ଼୍ୟାମର ବାମପାର୍ଶ୍ୱ ଡ଼ାଇକ ପାଖରେ ଏହି ସ୍ପିଲ ୱେ ଫାଟକ ତିଆର କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଲକ୍ଷ୍ମୀନଗର, ରୋଲିଂଗନଗର, ପ୍ରେମନଗର, କେବୁଲ କଲୋନୀ, ଗୁଜାତଲ, ଫାଷ୍ଟଗେଟ, ଗାଂଧିନଗର ଆଦି ଶାତଗୋଟି ବସ୍ତିର ୧, ୪୧୫ ପରିବାର ଭିଟାମାଟି ହରାଇବେ। ପ୍ରଥମ ଦଫାରେ ପ୍ରେମନଗର ଓ କେବୁଲ କଲୋନୀର ୧୦୧ ପରିବାରଙ୍କୁ ଗଡ଼ମୁଂଡ଼ା ମୈାଜାରେ ଥଇଥାନ କରାଯିବା ସହିତ ପ୍ରତି ପରିବାରକୁ ଦୁଇ ଡେସିମିଲ ଲେଖାଏ ଜମି ଏବଂ ଦୁଇ ଲକ୍ଷ ଟଙ୍କା କରି କ୍ଷତିପୂରଣ ପ୍ରଦାନ କରାଯାଇଥିବା ଭୂ-ଅର୍ଜନ ଅଧିକାରୀ ଧନଞୟ କିସାନ ସୂଚନା ଦେଇଛନ୍ତି। ପ୍ରକଳ୍ପ ଯୋଗୁ ପ୍ରଭାବିତ ହେଉଥିବା ସମସ୍ତ ପରିବାରକୁ ଆସନ୍ତା ଜୁଲାଇ ମାସ ସୁଦ୍ଦା ଜାଗା ଓ ଦୁଇ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି। ତେବେ ବର୍ଷା ଯୋଗୁ ଧିମେଇ ଯାଇଥିବା ପ୍ରକଳ୍ପର ନିର୍ମାଣ କାମ ଏବେ ଯୋର ଧରିଛି। ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ସମ୍ପୁର୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ହିମାଂଶୁ ମିଶ୍ର କହିଛନ୍ତି। ଏହି ପ୍ରକଳ୍ପ କେନ୍ଦୀୟ ଜଳ ଆୟୋଗର ସୁପାରିସ ରେ ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଛି। ଜଳବାୟୁ ପରିବର୍ତ୍ତନ ଏବଂ ଉଗ୍ର ପାଣିପାଗ ଯୋଗୁ ଡ଼୍ୟାମ ମଧ୍ୟକୁ ଅଧିକ ବନ୍ୟା ଜଳ ପ୍ରବେଶ ର ଅନୁମାନ କରାଯାଇ ଏହି ସ୍ପିଲ ୱେ ନିର୍ମାଣ କରାଯାଉଛି। ଯଦ୍ୱାରା ଜଳଭଂଡ଼ାର ମଧ୍ୟରୁ ଅବଶ୍ୟକ ହେଲେ ଅଧିକ ଜଳ ନିଷ୍କସନ କରାଯାଇପାରିବ। କେନ୍ଦ୍ରୀୟ ଜଳ ଆୟୋଗ, ଡ଼୍ୟାମ ସୁରକ୍ଷା ପ୍ୟାନେଲ ଏବଂ ବିଶ୍ୱ ବ୍ୟାଙ୍କର ବାର ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ଡ଼୍ୟାମ ପରିଦର୍ଶନରେ ଆସି ଅତିରିକ୍ତ ସ୍ପିଲ ୱେ ନିର୍ମାଣ ପାଇଁ ଜାଗା ସର୍ଭେ କରିବା ଉତାରୁ ମାଟି ପରୀକ୍ଷା କରାଯାଇଥିଲା। ଜିଓଲୋଜିକାଲ ସର୍ଭେ ଆଫ ଇଂଡ଼ିଆ ପକ୍ଷରୁ ମୃତିକା ପରୀକ୍ଷଣ କରାଯାଇଛି। ଏହି ସ୍ପିଲ ୱେ ଡ଼୍ୟାମର ଗାଂଧି ମୀନାର ପାଖରୁ ବାହରି ଏକ ଚେନାଲ ଦେଇ ଜବାହର ଉଦ୍ୟାନ ପାଖରେ ମହାନଦୀରେ ମିଶିବ। ଏବେ ଡ଼୍ୟାମର ୬୪ଟି ସ୍ଲୁଇସ ଗ୍ୟାଟ ଏବଂ ୩୪ଟି କ୍ରାଷ୍ଟ ଗ୍ୟାଟକୁ ମିଶାଇ ସମୁଦାୟ ୯୮ଟି ଫାଟକ ରହିଛି। ଏହି ୯୮ଟି ଫାଟକ ଦେଇ ଏକାଥରକେ ପ୍ରତି ସେକେଂଡ଼ରେ ୧୫ ଲକ୍ଷ ଘନଫୁଟ ଜଳ ମହାନଦୀକୁ ନିଷ୍କାସିତ ହୋଇଥାଏ। ହେଲେ କ୍ରାଷ୍ଟ ଗ୍ୟାଟ ବ୍ୟବହାର ବନ୍ୟାର ଚରମ ସ୍ତିତିରେ କରାଯାଇଥାଏ। ଦେଶର ବୃହତ ଡ଼୍ୟାମ ଗୁଡ଼ିକର ଜଳ ନିଷ୍କାସନ କ୍ଷମତା ୧.୫ ଗୁଣକୁ ବୃଦ୍ଦି କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ସୁପାରିଶ କ୍ରମେ ହୀରାକୁଦ ଡ଼୍ୟାମରେ ଏହି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ନୂଆ ପ୍ରକଳ୍ପ ଦ୍ୱାରା ଏହାର ଜଳ ନିଷ୍କାସନ କ୍ଷମତା ପ୍ରତି ସେକେଂଡ଼ରେ ୧୮ ଲକ୍ଷ ଘନଫୁଟକୁ ବୃଦ୍ଦି ପାଇବ। ପ୍ରକଳ୍ପ ନିର୍ମାଣରେ ୩୬୯ କୋଟି ୫୩ ଲକ୍ଷ ଟଙ୍କ ଖର୍ଚ୍ଚ ହେବ। ସୂଚନା ଯୋଗ୍ୟ ଯେ, ଉଦବାସ୍ତୁ ହେଉଥିବା ପରିବାରଙ୍କ ମଧ୍ୟରେ ଡ଼୍ୟାମ ନିର୍ମାଣ ସମୟର କିଛି ପରିବାର ରହିଥିବା ଜଣାପଡ଼ିଛି।