Odiapua.com

ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।

ଜୁଲାଇ ୫, ୨୦୧୯ରେ କେନ୍ଦ୍ର ସାଧାରଣ ବଜେଟ, ୨୦୧୯-୨୦ ଉପସ୍ଥାପନ କରାଯିବ। ଗୋପନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ, ବଜେଟ ତିଆରି ପ୍ରକ୍ରିୟାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ବନ୍ଦ ଘରେ ରଖାଯାଇଛି। ନର୍ଥ ବ୍ଲକ ପରିସରରେ ଥିବା ବଜେଟ ପ୍ରେସରେ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ରଖାଯାଇଛି। କେନ୍ଦ୍ର ବଜେଟ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏମାନେ ସେଠାରେ ରହିବେ। ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଉପସ୍ଥାପନ କରାଯିବା ପରେ ଯାଇ ଏହି ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରିପାରିବେ।

ହାଲୱା ସମାରୋହ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଶ୍ରୀ ଏସ.ସି ଗର୍ଗ, ରାଜସ୍ୱ ସଚିବ ଶ୍ରୀ ଏ.ବି ପାଣ୍ଡେ, ଡିଏଫଓ ସଚିବ ଶ୍ରୀ ରାଜୀବ କୁମାର, ଡିଆଇପିଏଏମ ସଚିବ ଅତନୁ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସିବିଡିଟି ଅଧ୍ୟକ୍ଷ ପି.ସି. ମୋଦୀ, ସିବିଆଇସି ଅଧ୍ୟକ୍ଷ ତଥା ସିବିଡିଟି ଏବଂ ସିବିଆଇସିର ସଦସ୍ୟ ଶ୍ରୀ ପି.କେ ଦାସ ଏବଂ ଯୁଗ୍ମ ସଚିବ (ବଜେଟ) ଶ୍ରୀ ଅରବିନ୍ଦ ଶ୍ରୀବାସ୍ତବଙ୍କ ସମେତ ବଜେଟ ପ୍ରସ୍ତୁତି ଏବଂ ମୁଦ୍ରଣ ପ୍ରକ୍ରିୟାରେ ସମ୍ପୃକ୍ତ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପରେ, ଅର୍ଥମନ୍ତ୍ରୀ ପ୍ରେସ ପରିଦର୍ଶନ କରିବା ସହିତ ମୁଦ୍ରଣ ପ୍ରକ୍ରିୟା ସହିତ ପରିଚିତ ହୋଇଥିଲେ।