Odiapua.com

ହାବସପୁର ଧାନମଣ୍ଡିରେ ୩୫୦୦ କ୍ୱିଣ୍ଟାଲ ଧାନ ପଡିରହିଛି, କର୍ତ୍ତୃପକ୍ଷ ନୀରବଦଷ୍ଟା, ଚାଷୀ ହନ୍ତସନ୍ତ

କଳାହାଣ୍ଡି – ୩୦.୦୬ (ଓଡିଆ ପୁଅ) କଳାହାଣ୍ଡିର ଜୁନାଗଡ ବ୍ଲକ ଅନ୍ତର୍ଗତ ବହୁଚର୍ଚ୍ଚିତ ହାବସପୁର ଧାନମଣ୍ଡିରେ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ହେବ ୩୫୦୦ ରୁ ଚାରି ହଜାର କ୍ୱିଂଟାଲ ଧାନ ପଡିରହିଛି। ଆଗକୁ ବର୍ଷା ଆଗତ ପ୍ରାୟ। ସେପଟେ ଖରିଫ ଧାନ ଚାଷ କରାଯିବା ପାଇଁ ଚାଷୀକୁ ପ୍ରସ୍ତୃତ ହେବାକୁ ପଡିବ। ହେଲେ ଚାଷୀର ଧାନ ବିକ୍ରୀ ଏପର୍ଯ୍ୟନ୍ତ ସରିପାରୁନାହିଁ। ତ୍ରୁଟିପୂର୍ଣ୍ଣ ଧାନ ଉଠାଣ ବ୍ୟବସ୍ଥାରେ ଚାଷୀ ଦହଗଞ୍ଜ ହେଉଛି ସିନା କେବେ ହେଲେ ପ୍ରଶାସନ ସମାଧାନ କରିପାରୁନାହିଁ ବୋଲି ଚାଷି ମହଲରେ ଆଲୋଚନା ହେଉଛି। ହାବସପୁର ମଣ୍ଡିରେ ପ୍ରତି ଖରିଫ ଓ ରବି ଋତୁରେ ପ୍ରାୟ ୩୫ହଜାର କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଥାଏ। ହେଲେ ପ୍ରଶାସନ ପକ୍ଷରୁ କେବଳ ମାତ୍ର ସ୍ଥାନୀୟ ଦୁଇଟି ମିଲର୍ସ ସମେତ ତିନି ଚାରିଟି ମିଲର୍ସକୁ ସଂଲଗ୍ନ କରାଯାଇ ଧାନ ଉଠାଣ ପ୍ରକ୍ରୀୟା କାର୍ଯ୍ୟକାରୀ କରାଯାଇଥାଏ। ଫଳତଃ ପ୍ରାୟ ପ୍ରତ୍ୟେକ ସିଜନରେ ଚାଷିମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଚାଷି ମହଲରେ ପ୍ରତିବର୍ଷ ଅଭିଯୋଗ ହୋଇଆସୁଛି। ଏପରିକି ସ୍ଥାନୀୟ ମିଲର୍ସ ମାନେ ନିଜ ମନମୁଖି କାରବାର କରି ନିଜର ଲଗାଣି ଧାନକୁ ପ୍ରାଧାନ୍ୟ ଦେଇ ଚାଷୀ ମାନଙ୍କ ଧାନ କୁ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ଏପରିକି ବାହାର ଅଂଚଳର ମିଲର୍ସ ଟେଗିଂ କରାଗଲେ ମଧ୍ୟ ସେମାନଙ୍କୁ ନାନାପ୍ରକାର ଗୋଲକଧନ୍ଦାରେ ପକାଇ ଧାନ ଉଠାଣରେ ବ୍ୟାଘାତ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। କେବଳ ଏସଏନ ରାଇସ ମିଲ ମାଲିକ ଚାଷି ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ଧାନ ଉଠାଣ କରୁଥିବା ବେଳେ ଅନ୍ୟମାନେ କେବଳ ଚାଷୀଙ୍କୁ ହଇରାଣ କରି କିଭଲି ଭାବେ କ୍ୱିଂଟାଲ ପିଛା ଅଧିକରୁ ଅଧିକ କେଜି ଧାନ ଲୁଟିବେ ସେହି ଚକ୍ରାନ୍ତ କରୁଥିବା ଚାଷି ମହଲରେ ଆଲୋଚନା ହେଉଛି। ଏପରିକି ଏସଏନ ରାଇସ ମିଲ ଯଦିଓ ହାବସପୁର ମଣ୍ଡିରେ ଧାନ ଉଠାଣ ପାଇଁ ଟେଗିଂ ହେଉନଥାନ୍ତା ତେବେ ଷାବସପୁର ମଣ୍ଡିରେ ଚାଷି ଆହୁରି ବ୍ୟାପକ ଭାବେ ହଇରାଣ ହରକତ ହୁଅନ୍ତେ ବୋଲି ମଧ୍ୟ ଆଲୋଚନା ହେଉଛି। ସେହିପରି ଚାଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରାଯାଇ ପାକ୍ସ ତଥା ଆରଆଇ ଅଫିସ କର୍ମଚାରୀ ମାନଙ୍କୁ ନିଜ ଅକ୍ତିଆରରେ ରଖି ହାବସପୁର ମଣ୍ଡିକୁ ଏକପ୍ରକାର ହାଇଜାକ କରିନେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଅତୀତରେ ଚାଷିମାନେ ଲିଖିତ ଭାବେ ଅନେକ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବାରୁ ଏବଂ ସଂପୃକ୍ତ ମିଲର୍ସ ନିଜର ରାଜନୈତିକ ତଥା ଆର୍ଥôକ ପ୍ରଭାବ ପକାଇ ମଦମାଂସ ବ୍ୟବହାର କରି ଗୁଣ୍ଡା ଶ୍ରେଣୀୟ ଲୋକଙ୍କ ମାଧ୍ୟମରେ ଅବ୍ୟବସ୍ଥା ସଂପର୍କରେ ମୁହଁ ଖୋଲୁଥିବା ଚାଷି ମାନଙ୍କୁ ନାନାପ୍ରକାରେ ହନ୍ତସନ୍ତ କରୁଥିବା ହେତୁ ଚାଷିମାନେ ହଇରାଣ ହେଉଛନ୍ତି ପଛକେ ଆଉ କୌଣସି ବିଷୟରେ ମୁହଁ ଖୋଲୁନଥିବାର କୁହାଯାଉଛି। ଅତୀତରେ ବାହାର ଅଂଚଳର ମିଲର୍ସ ଟେଗିଂ ହୋଇଥିବା ସମୟରେ ହାବସପୁର ମଣ୍ଡିରୁ ସୁରୁଖୁରୁରେ ଧାନ ଉଠାଣ କରାଯାଇଥିବା ଉଦାହରଣ ରହିଥିବା ବେଳେ ଚଳିତ ରବିଋତୁରେ ମଧ୍ୟ ବଲାଙ୍ଗୀର ଜିଲ୍ଲାର ଗୋଟିଏ ମିଲର୍ସକୁ ଶେଷ ପର୍ଯ୍ୟାୟରେ ଟେଗିଂ କରିବା ପରେ ଦଶ ଚକିଆ ଟ୍ରକ ଯୋଗେ ଧଡାଧଡ ଧାନ ଉଠାଣ କରୁଥିବା ବେଳେ ତାକୁ ମଧ୍ୟ ମିସଗାଇଡ କରିଦେଇ ଭଗାଇ ଦେଇଥିବାର କୁହାଯାଉଛି। ଏପରିକି ଯୋଉଁ ମିଲର୍ସ ଟେଗିଂ କରାଗଲେ ମଧ୍ୟ ଏହି ସ୍ଥାନୀୟ ମିଲର୍ସ ନିଜ ସଂପର୍କୀୟ ମାନଙ୍କୁ ସେହି ମିଲର୍ସର ଏଜେଂଟ ଭାବେ ରଖାଇ ଦେଇ ନିଜ ମନମୁଖି କାରବାର ଚଳାଉଥିବା ଚାଷୀ ମହଲରେ ଆଲୋଚନା ହୋଇଥାଏ। ଧାନ ଉଠାଣରେ ବିଲମ୍ବ ହେଲେ ଚାଷୀ ତ୍ରସ୍ତ ହୋଇ ଅଧିକ କେଜି ଧାନ କଟନୀ କରିବାକୁ ବାଧ୍ୟ ହେବ ବୋଲି ଚକ୍ରାନ୍ତ କରି ସ୍ଥାନୀୟ ମିଲର୍ସ ଏଭଲି ବ୍ୟୁହ ରଚନା କରୁଥିବା ପ୍ରକାଶ। ଏସଂପର୍କରେ ଯୋଗାଣ ବିଭାଗ ପଦାଧରକାରୀଙ୍କୁ ପଚାରିବାରେ ଦାନ ଉଠାଣରେ ପରିବହନ ଖର୍ଚ୍ଚ କମାଇବା ଲାଗି ସ୍ଥାନୀୟ ମିଲର୍ସଙ୍କୁ ସୁଯୋଗ ଦିଆଯାଉଥିବା କହୁଥିବା ବେଳେ ସ୍ଥାନୀୟ ମିଲର୍ସ ପ୍ରାୟୋଜିତ ଧାନ ଉଠାଣରେ ଅଯଥା ବିଲମ୍ବ ଜନିତ ଚାଷୀ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଚଳିତ ରବିରେ ବାକିଥିବା ଧାନକୁ ତୁରନ୍ତ ଉଠାଣ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ବୋଲି ସିଏସ ଓ ପ୍ରକାଶ କରିଛନ୍ତି। ହେଲେ ସ୍ଥାନୀୟ ମିଲର୍ସଙ୍କ କୂଟଚକ୍ରାନ୍ତ ଓ ରାଜନୈତିକ ତଥା ଆର୍ଥିକ ଚକ୍ରବ୍ୟୁହକୁ ଭେଦ କରିପାରିଲେ ଯାଇ ଚାଷିମାନେ ଉପକୃତ ହୋଇ ପାରିବେ ବୋଲି ଚାଷୀ ସଂଗଠନ ମାନଙ୍କ ସୂତ୍ରରୁ ପ୍ରକାଶ। ଇତିମଧ୍ୟରେ ସାଧାରଣ ନିର୍ବାଚନ ଶେହ ହେବାପରେ ସାଧାରଣ ଚାଷୀ ଆଗାମୀ ଦିନରେ ଧାନ ମଣ୍ଡିରେ ସ୍ୱଚ୍ଛତା ଆସିବା ନେଇ ଆଶାବାଦୀ ଥିବା ବେଳେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସଂପୃକ୍ତ ସ୍ଥାନୀୟ ମିଲର୍ସ ରାଜନୈତିକ ପତିୟାରା ଜାହିର କରି ଅଫିସର ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇ ଚାଷି ମାନଙ୍କୁ ଶୋଷଣ କରିବାର ଯୋଜନା କରୁଥିବା ହେତୁ ଆଗାମୀ ଦିନରେ ହାବସପୁର ଧାନମଣ୍ଡିରେ ଚାଷୀ ଆହୁରୀ ହନ୍ତସନ୍ତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି।