Odiapua.com

ହାତୀ ଗଳିଯାଉଛି, ପିମ୍ପୁଡ଼ି ଧରାପଡୁଛି

କନ୍ଧମାଳ, ୪/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାରେ ଫୁଲବାଣୀ, ବାଲିଗୁଡ଼ା ସମେତ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌କରାଯାଇଛି। ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ଲକ୍‌ଡାଉନ୍‌ଜାରି ରହିଛି। ଏଥି ସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଥିବା ଚେକ୍‌ପୋଷ୍ଟ ଗୁଡିକୁ କଡାକଡି କରାଯାଇଥିବା ପ୍ରଶାସନ କହିଛି। ବିଶେଷ କରି ଗଞ୍ଜାମ ସୀମା କଳିଙ୍ଗା ଠାରେ ଓ ନୟାଗଡ଼ ସୀମା ଖଜୁରିପଡ଼ା ଠାରେ ଥିବା ଚେକ୍‌ପୋଷ୍ଟରେ ବିନା ଅନୁମତିରେ କାହାକୁ ଛଡ଼ା ଯାଉ ନଥିବା କୁହାଯାଉଛି। ହେଲେ ଏହିସବୁ ଚେକ୍‌ପୋଷ୍ଟରେ ହାତୀ ଗଳିଯାଉଛି। ହେଲେ ପିମ୍ପୁଡି ଧରା ପଡ଼ିବା ଘଟଣା ଆଲୋଚନାର ବିଷୟ ହୋଇଛି।ସାଧାରଣ ଲୋକଙ୍କୁ ଚେକ୍‌ପୋଷ୍ଟରେ ଛଡ଼ା ଯାଉନଥିବା ବେଳେ ବିଭିନ୍ନ ବ୍ୟବସାୟୀଙ୍କ ଗାଡ଼ି ଛାଡ଼ି ଦେଉଥିବା ଅଭିଯୋଗ ହେଇଛି। ଶୁକ୍ରବାର ଫୁଲବାଣୀର ଜଣେ ବରିଷ୍ଠ ସାମ୍ବଦିକଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ବ୍ରହ୍ମପୁରରୁ ତାଙ୍କ ଦୁଇ ଝିଅ ଆସୁଥିଲେ। ସେମାନେ ଗଞ୍ଜାମ ପ୍ରଶାସନର ଅନୁମତି ନେଇଥିଲେ। ହେଲେ କଳିଙ୍ଗା ଚେକ୍‌ପୋଷ୍ଟରେ ସେମାନଙ୍କୁ କନ୍ଧମାଳକୁ ପ୍ରବେଶ ପାଇଁ ଅନୁମତି ଦିଆ ଯାଇନଥିଲା। ଫଳରେ ବିଳମ୍ବିତ ରାତିରେ ସେମାନେ କଳିଙ୍ଗାରୁ ଫେରି ଯାଇଥିଲେ। କିନ୍ତୁ ତା ପରଦିନ ଗଞ୍ଜାମରୁ ୩ ଜଣ ଯୁବକ କନ୍ଧମାଳ ଦେଇ ବୌଦ୍ଧ ଚାଲି ଚାଲି ଯାଇଥିବା ବେଳେ ସେମାନଙ୍କୁ କଳିଙ୍ଗା ଚେକ୍‌ପୋଷ୍ଟରେ ଛାଡ଼ି ଦିଆଯାଇଥିଲା।ସେହିଭଳି ଏକ ମାଛ ବୋଝେଇ ପିକ୍‌ଅପ ଭ୍ୟାନ୍‌ମଧ୍ୟ ଖଜୁରିପଡା ଚେକ୍‌ପୋଷ୍ଟରେ ବିନା ଅନୁମତିରେ ପ୍ରବେଶ କରିଥିଲା। ଉକ୍ତ ପିକ୍‌ଅପ ଫୁଲବାଣୀ ସହରରେ ମାଛ ଅନ୍‌ଲୋଡ୍‌କରି ଫେରି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଉପଜିଲ୍ଲାପାଳ ତାକୁ ଜବତ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଡ୍ରାଇଭର ଓ ମାଛ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ୫ ହଜାର ଟଙ୍କା ଫାଇନ ଆଦାୟ କରି ଛାଡି ଦିଆଯାଇଥିବା ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି। ତେବେ କେବଳ ଏହି ଦୁଇଟି ଘଟଣା ନୁହଁ, ପ୍ରତିଦିନ ବହୁ ଲୋକ ଓ ଗାଡ଼ି ବିନା ଅନୁମତିରେ ଜିଲ୍ଲାକୁ ଆସୁଥିବା ଓ ଯାଉଥିବା ଅଭିଯୋଗ ହେଉଛି। ଚେକ୍‌ପୋଷ୍ଟ ଦାୟିତ୍ୱରେ ଥିବା କର୍ମଚାରୀ ମୁହଁ ଦେଖା କାରବାର କରୁଥିବା ଅଭିଯୋଗ ହୋଇଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦଲେ ଆଗକୁ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।