Odiapua.com

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ତାଳଚେର, ୨୪/୪ (ଓଡ଼ିଆ ପୁଅ/ଅଜିତ ବେହେରା) : କିଛି ଦିନର ବ୍ୟବଧାନରେ ତାଳଚେରରେ ପୁଣି ଥରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି। ମୃତା ବୃଦ୍ଧା ଜଣକ ହେଲେ ତାଳଚେର ବନାଂଚଳ ଅଧିନ ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ ହିଲୋଇ ଗ୍ରାମର ବଚନ ବେହେରା(୬୨)। ଖବରରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ବଚନ ବେହେରା ନିଜ କୁଡ଼ିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ସେଠାରେ ପହଁଚି କୁଡ଼ିଆକୁ ଭାଙ୍ଗିବା ସହ ବଚନଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଥିବା ବଚନଙ୍କର କିଛି ସମୟ ପରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ତେବେ ବନ ବିଭାଗ ପହଁଚିବା ପୂର୍ବରୁ ଦନ୍ତାଟି ସେଠାରୁ ଅନ୍ୟଆଡ଼େ ପଳାଇଥିଲା। ଖବରପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲେ। ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ସେଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଡାକ୍ତରଖାନାରେ ପହଁଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ସନ୍ଥପଡ଼ା ଅଂଚଳରେ ମଧ୍ୟ ଏକ ବୃଦ୍ଧାଙ୍କୁ ଉକ୍ତ ଦନ୍ତା କଚାଡ଼ି ମାରି ଦେଇଥିଲା। ଗୋଟିଏ ପଟେ ବନବିଭାଗର ଦାୟିତ୍ୱହୀନତା ଯୋଗୁଁ ଜଣେ ପରେ ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଉଛନ୍ତି। କିନ୍ତୁ ବନ ବିଭାଗର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।