Odiapua.com

ହାଣ୍ଡିଶାଳରେ କରୋନା ମାଡ଼: କମୁଛି ରୋଜଗାର, ବଢ଼ୁଛି ଖର୍ଚ୍ଚ

ବାଲିଗୁଡା, ୮/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଯେତିକି ବଢ଼ୁଛି କରୋନା କଟକଣା, ସେତିକି ବଢୁଛି ଯନ୍ତ୍ରଣା। କରୋନା ପ୍ରଭାବ ଓ ଲକ୍ଡ଼ାଉନ ଯୋଗୁଁ ଅନେକ ହାତବାନ୍ଧି ଘରେ ବସିଥିବାବେଳେ ରନ୍ଧନ ଗ୍ୟାସ୍‌ସହ ତେଜରାତି ସାମଗ୍ରୀ ମହଙ୍ଗା ହେବା ଖାଉଟିଙ୍କ ପାଇଁ ବେଡି ଉପରେ କୋରଡା ମାଡ ପରି ହୋଇଛି। ବଜାରରେ ବର୍ତ୍ତମାନ ଖାଇବାତେଲ, ସୁଜି ଏବଂ ବିସ୍କୁଟ ଦର ବଢିଥିବାବେଳେ ସାବୁନ୍‌, ନୁଡୁଲ୍ସ ଏବଂ ବିସ୍କୁଟ୍‌ଯୋଗାଣ କମୁଛି। ଏଥିଯୋଗୁ ଅନେକ ସାମଗ୍ରୀ ସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ବିକ୍ରି ହେଉଛି।ନିକଟରେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି। ଏଥିଯୋଗୁ ରାଜ୍ୟରେ ରନ୍ଧନ ଗ୍ୟାସ୍‌(୧୪-୨ କେଜି) ଦର ସିଲିଣ୍ଡର ପିଛା ୨୬ ଟଙ୍କା ୫୦ ପଇସା ବଢ଼ିଛି। ପୂର୍ବରୁ ଏହାର ଦର ସିଲିଣ୍ଡର ପିଛା ୫୯୨ ଟଙ୍କା ୫୦ ପଇସା ରହିଥିବାବେଳେ ଏବେ ଏଥିରେ ବୃଦ୍ଧି ଘଟି ୬୧୯ ଟଙ୍କା ହୋଇଛି।ଅନ୍ୟପକ୍ଷରେ ସମ୍ପ୍ରତି ବଜାରରେ ବଢିବାରେ ଲାଗିଛି ତେଜରାତି ସାମଗ୍ରୀ ଦର। ବିଶେ‌ଷ କରି ଖାଇବାତେଲ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ପାମୋଲିନ୍‌ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷତେଲ ସବୁର ଦର ବଢିଛି। ଲିଟର ପିଛା ୧୧୦ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଏବେ ୧୧୫ ଟଙ୍କା‌ହୋଇଛି। ସେହିଭଳି ୯୮ରୁ ୯୯ ଟଙ୍କା ଲିଟର ପିଛା ବିକ୍ରି ହେଉଥିବା ସୂର୍ଯ୍ୟମୁଖୀ ତେଲ ଏବେ ୧୦୩ ଛୁଇଁଛି। ଲକ୍‌ଡାଉନ୍‌ରେ ଅଧିକାଂଶ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଯାଉଥିବା ଯୋଗୁଁ ବଜାରକୁ ବିସ୍କୁଟ୍‌, ନୁଡୁଲ୍ସ ଏବଂ ସାବୁନ୍‌ଭଳି ଅନେକ ସାମଗ୍ରୀ ଯୋଗାଣ କମ୍‌ହେଉଛି। ବିସ୍କୁଟ୍‌ଅଭାବ ସହ ଛୋଟ ପ୍ୟାକେଟ୍‌ର ନୁଡୁଲ୍ସ ଆଉ ସାବୁନ୍‌ମଧ୍ୟ ବଜାରକୁ ଆସୁନାହିଁ। ଏଭଳି ସ୍ଥଳେ ଏବେ ଖୁଚୁରା ବଜାରରେ ବିସ୍କୁଟ୍‌ଦର ମଧ୍ୟ ବଢିଯାଇଛି। ପୂର୍ବରୁ ୩୦ ଟଙ୍କା ଏମ୍‌ଆର୍‌ପି ଥିବା‌ବିସ୍କୁଟ୍‌୨୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଏହା ୩୨ ଏମ୍‌ଆର୍‌ପି ସହ ୩୨ ଟଙ୍କାରେ ବିକ୍ରି ହେଉଛି। ‌ଏହା ବର୍ତ୍ତମାନ ଖାଉଟିଙ୍କ ଚିନ୍ତା ବଢାଇଛି। କମ୍ପାନୀଗୁଡିକୁ ଛୋଟ ପ୍ୟାକେଟ୍‌ଉତ୍ପାଦ ପ୍ରସ୍ତୁତି ପାଇଁ ପ୍ୟାକେଜିଂ ସାମଗ୍ରୀ ପଯ୍ୟାପ୍ତ ପରିମାଣରେ ମିଳୁନାହିଁ, ଫଳରେ ଉତ୍ପାଦନକାରୀ ଛୋଟ ପ୍ୟାକେଟ୍‌ର ଖାଇବାତେଲ ଓ ନୁଡୁଲ୍ସ ବଜାରକୁ ଛାଡୁନାହାନ୍ତି। ଲକ୍‌ଡାଉନ୍‌ବଢିବାରେ ଲାଗିଥିବାବେଳେ ଛୋଟ ଛୋଟ ଶିଳ୍ପ କାରଖାନାରେ କିଭଳି ଭାବେ କାର୍ଯ୍ୟ ଜାରି ରହିବ ସରକାର ତାହା ଉପରେ ଗୁରୁତ୍ବ ଦିଅନ୍ତୁ। ବଡ ବଡ କମ୍ପାନୀଙ୍କ ଉପରେ ନିର୍ଭରଶୀଳ ଏହି ଛୋଟ ଛୋଟ ଶିଳ୍ପ ସଂସ୍ଥା ବର୍ତ୍ତମାନ ଠିକ୍‌ଭାବେ ଚାଲିପାରୁନାହିଁ, ଯାହାକି ଏବେ ଦରଦାମ୍‌ବୃଦ୍ଧିର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।