Odiapua.com

ହାଟଡିହିର ବିଭିନ୍ନ ସ୍ଥାନରେ ପ୍ରଭୂ ଶନିଶ୍ଚରଙ୍କ ପୂଜାତ୍ସୋବ

ହାଟଡ଼ିହି, ୨୨/୫ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଭୂ ଶନିଶ୍ଚରଙ୍କ ବାର୍ଷିକ ପୂଜାତ୍ସୋବ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏଥିପାଇଁ ଛେନାପଦିଛକ, ମୋଟରାଗଡିଆ, ମୁଗୁପୁର, କୁଣ୍ଡିସାହି, ନୁଆରମ୍ପାସ, କପୁଣ୍ଡି, ବଞ୍ଚୋ, ଶାସଙ୍ଗ, ଝୁଣାବାଡି, ଘୋଷରାପଦା, ନୁଆରମ୍ପାସ ପ୍ରଭୃତି ସ୍ଥାନ ମାନଙ୍କରେ ଥିବା ଶନିଶ୍ଚର ମନ୍ଦିରରେ ଭକ୍ତ ମାନେ କୋଭିଡ କଟକଣା ମଧ୍ୟରେ ଜଣେ ଜଣେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଶମିବୃକ୍ଷରେ ଜଳଲାଗି କରିଥିଲେ । ଛେନାପଦିଛକରେ ଥିବା ଶନିଶ୍ଚର ମନ୍ଦିରରେ ଆଜି ସକାଳୁ ଘଟୋତ୍ତଳନ କରାଯାଇ ସମସ୍ତ ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପଣ୍ଡିତ ବାଇଧର ପାଢ଼ୀ ବୈଦିକ ରୀତିରେ ହୋମଯଜ୍ଞ କରିବାସହ ପୂଜାର୍ଚ୍ଚନା କରିଥିଲେ । ଶନିଶ୍ଚର ମନ୍ଦିରରେ ମୋହନ ଚରଣ ପାଢ଼ୀ, ଅଭିମନ୍ୟୁ ପାଢ଼ୀ, ସନାତନ ପାଢ଼ୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ରତ୍ନାକର ସାହୁ, ତିଳୋତ୍ତମା ସାହୁ, କେଶବ ପ୍ରଧାନ ପ୍ରମୁଖ କତ୍ତା ଭାବେ ପୂଜାକାର‌୍ୟ୍ୟରେ ସାମିଲ ହୋଇଥିଲେ । ଆଜି ସକାଳ ୫ଟାବେଳେୁ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଶନିଶ୍ଚରଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ଶମିବୃକ୍ଷରେ ମାନସିକ ପୁରଣ ନିମିତ୍ତ ଶଙ୍ଖା ଓ ବସ୍ତ୍ର ବାନ୍ଧି ଶମିବୃକ୍ଷରେ ଜଳଲାଗି କରିଥିଲେ । ସେହିପରି ଏ ଅଞ୍ଚଳର ସର୍ବ ପୁରାତନ ମୋଟରାଗଡିଆ ଶନି ମନ୍ଦିରରେ ମଧ୍ୟ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ । ଆଖପାଖ ଗ୍ରାମ ସହିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କିଛି ମାନସିକ ଧାରୀ ଭକ୍ତ ଯୋଗଦେଇ ପ୍ରଭୂଙ୍କ ପାଖରେ ପୂଜାର୍ଚ୍ଚନା କରିବାସହ ନିକଟସ୍ଥ ପୋଖରୀରୁ ଜଳାଆଣି ଶମିବୃକ୍ଷ ଓ ବଟବୃକ୍ଷରେ ଜଳଲାଗି କରିଥିଲେ । ସେହିପରି ମୁଗୁପୁର, କୁଣ୍ଡିସାହି ଶନିମନ୍ଦିରରେ ମଧ୍ୟ ଭକ୍ତ ମାନେ ମାନସିକ ପୁରଣ ଲାଗି ପୂଜାର୍ଚ୍ଚନା କରିଥିଲେ । ସେହିପରି ବଞ୍ଚୋ, ଝୁଣାବାଡି, ଘୋଷରାପଦା, ନୁଆରମ୍ପାସ ଆଦି ଶନିଶ୍ଚର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିବର୍ଷ ଏହିସବୁ ମନ୍ଦିର ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ, ଅନ୍ନପ୍ରସାଦ ବଣ୍ଟନକୁ ବାତିଲ କରାଯିବା ସହିତ କେବଳ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ହୋଇଥିଲା ।