ହାଟଡିହି -୨୩ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦୁଇଶହ ଟପିଛି । ବ୍ଲକରେ ଆଜି ଗୋଟିଏ ଦିନରେ ୨୨ଜଣ କରୋନା ପଜେଟିଭ ଚିହ୍ନଟ ହେବା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ରେ ପହଞ୍ଚିଛି । ଆଜି ପ୍ରଥମଥର ପାଇଁ କେ ବାଲିପାଳ ପଞ୍ଚାୟତରେ ଗୋଟିଏ ଦିନରେ ୧୮ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ନିୟମିତ ଚାଷକାମ କରିବାକୁ କୁପାରୀ ଅଞ୍ଚଳକୁ ଅଟୋ, ପିକଅପ ଭ୍ୟାନ ଯୋଗେ ଯାଇଥାନ୍ତି । ଆଜି ଅକ୍ରାନ୍ତଙ୍କ ମଧ୍ୟରୁ ମୟୁରା ଗ୍ରାମର ୧୬ଜଣ ହୋଇଥିବାବେଳେ ଭଅଁରା ଗ୍ରାମର ଦୁଇଜଣ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ଶିବିର କରାଯାଇ ସ୍ୱାବ ସଂଗ୍ରହ କରିବାପରେ ଆଜି ଗୋଟିଏ ଦିନରେ ଏତେ ସଂଖ୍ୟକ ପଜେଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି । ସମସ୍ତେ ପୁଣି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସେହିପରି ଶାଳଣିଆଁ ପଞ୍ଚାୟତର ଶାଳଣିଆଁ ଗ୍ରାମରେ ଜଣେ ଓ ଡଅଁର ପଞ୍ଚାୟତରେ ଜଣେ, ପଞ୍ଚୁଗୋଛିଆ ପଞ୍ଚାୟତରେ ୨ଜଣ ଏପରି ମୋଟ ୨୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟେ ସ୍ୱାବ ପରୀକ୍ଷଣ ବଢ଼ୁଥିବାବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଯାହାକୁନେଇ ସାଧାରଣ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।