Odiapua.com

ହାଜି ମହମ୍ମଦ ଅବଦୁଲ ବାରିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ବଣିକ ସଂଘର ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବଣିକ ସଂଘ ତରଫରୁ କଚେରୀ ବଜାର ଠାରେ ହାଜି ମହମ୍ମଦ ଅବଦୁଲ ବାରିକଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ଉପସଭାପତି ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର କର୍ମକର୍ତାମାନେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ଆଶିଷ ନାୟକ, ଗୌରାଙ୍ଗ ପଣ୍ଡା, ମିର୍ଜା ପରବେଜ ଆଲାମ ବେଗ୍‌, ଗଦାଧର ବେହେରା, ସଂଘର ସଂପାଦକ ଲାଲା ଜଗଦୀଶ ରାୟ, ମହମ୍ମଦ ଅଲ୍ଲୀ ଶବର, ତାଙ୍କର ପୁତ୍ର ସମିମ ପ୍ରମୁଖ ବାରି ବାବୁଙ୍କ ଆଦର୍ଶ, ଲୋକପ୍ରିୟତା ଓ ଭାଇଚାରା ସଂପର୍କରେ ସ୍ମୃତିଚାରଣ କରିଥିଲେ। ଏହି ସଭାରେ ବାରି ବାବୁ ପୌରପରିଷଦ ଉପାଧ୍ୟକ୍ଷ, ମୁସଲିମ୍ ଜମାତର ସଭାପତି ଥିବା ଭଦ୍ରକ ବଣିକ ସଂଘର ସଭାପତି ଓ ବଙ୍କ ବାସୁଳୀ ଦୁର୍ଗାପୂଜା କମିଟିର ଉପସଭାପତି ଥିଲେ। ଭଦ୍ରକର ବହୁ ସଂଗଠନ ସହ ଜଡିତ ଥିଲେ। ଏବଂ ସମାଜସେବା ଓ ଭଦ୍ରକ ସହରର ଶାନ୍ତି ସଦ୍‌ଭାବନା କ୍ଷେତ୍ରରେ ଉଭୟ ହିନ୍ଦୁ ମୁସଲମାନ ସଂପ୍ରଦାୟର ଏକ ସେତୁବନ୍ଧ ଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଉଭୟ ସଂପ୍ରଦାୟର ସଦ୍‌ଭାବନା ବଜାୟ ରଖିବା ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସେ ପ୍ରଶାସନ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶାନ୍ତିଦୂତର ପ୍ରତୀକ ଉପାଧିରେ ସମ୍ମାନିତ କରାଯାଇଛି। ଏପରିକି ଶେଷ ସମୟରେ ସହରରେ ଦୋକାନ ଗୃହ ଉଚ୍ଛେଦ ବିରୁଦ୍ଧରେ ପ୍ରଶାସନ ସହିତ ଲଢେଇ କରିଥିଲେ। ହାଜି ମହମ୍ମଦ ଅବଦୁଲ ବାରିଙ୍କ ବିୟୋଗ ଭଦ୍ରକ ବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅନୁଷ୍ଠିତ ଶୋକସଭାରେ ମତପ୍ରକାଶ ପାଇଥିଲା।