ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ସୋଲାର ହାଇ ମାଷ୍ଟ ଲାଇଟ କାମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି। ଏପରି ବଡ଼ ଧରଣର ଦୁର୍ନୀତି ଘଟଣା ପୂର୍ବ ବିଜେଡି ସରକାର ଅମଳରେ ଚାଲିଆସୁଥିବା ବେଳେ ବର୍ତମାନ ର ବିଜେପି ସରକାର ସମୟରେ ଚାଲି ଆସୁଛି । ଜିଲ୍ଲାର ବଡ଼ ବଡ଼ ନେତା, ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ସମ୍ପୃକ୍ତ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଟେଣ୍ଡର ନ କରି ବିଭିନ୍ନ ବ୍ଲକର ବିଡିଓ ମାନଙ୍କ ମାଧ୍ୟମରେ ନିମ୍ନ ମାନର କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ହରିଲୂଟ ଆତ୍ମସାତ ହୋଇଛି । ଯେଉଁ ମାନର ଲାଇଟ ଲଗାଇବା ପାଇଁ ନିଷ୍ପତି ନିଆଯାଇଥିଲା ତାହା ଠାରୁ ନିମ୍ନ ମାନର ଲାଇଟ ଲାଗାଯାଇ ଏ ବାବଦ ଅର୍ଥ ହଡପ କରାଯାଇଛି। ଏଥି ସହିତ ସ୍କୁଲରେ ପଢୁଥିବା ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆନଯାଇ ନିମ୍ନ ମାନର ଲାଇଟ ଓ ଆନୁସଙ୍ଗିକ ଜିନିଷ ବ୍ୟବହାର ହୋଇଥିବାରୁ ଏଥି ନେଇ ସି.ପି.ଡବ୍ଲୁ.ଡ଼ି ଦ୍ୱାରା ମାନ ଯାଂଚ କରାଯାଇ ସିବିଆଇ ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଶ୍ରୀ ନଳିନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏଥି ପାଇଁ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ (ଏମସିଏଲ) ସିଏସଆର ପାଣ୍ଠି ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା। ଉପରୋକ୍ତ କାମ ପାଇଁ ଭଦ୍ରକ ଆର ଆଣ୍ଡ ବି ତରଫରୁ ମଡେଲ ଏଷ୍ଟିମେଟ (ଆକଳନ) କରାଯାଇଥିଲା। କେଉଁ ପ୍ରକାରର ଓ ମାନର ହାଇ ମାଷ୍ଟ ଲାଇଟ ଓ ଅନ୍ୟାନ୍ୟ ଉପକରଣ ଲାଗଯିବ ବା ଯୋଗାଣ କରାଯିବ ସେ ନେଇ ମଡେଲ ଏଷ୍ଟିମେଟରେ ଆର ଆଣ୍ଡ ବି ପକ୍ଷରୁ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। ଏହି କାର୍ଯ୍ୟ ପାଇଁ ଖୋଲା ଟେଣ୍ଡନ ନ ଡାକି ବିଭିନ୍ନ ବ୍ଲକର ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଥିଲା। ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଓ ଗୋଟିଏ ଜବାହର ନବୋଦୟ ବିଦ୍ୟାଳୟରେ ହାଇମାଷ୍ଟ ଲାଇଟ ବସା ଯିବା କାମ ବିଡିଓଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି। ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର କାମ ବ୍ଲକ ଜେଇ ବିଭାଗୀୟସ୍ତରରେ କରି ପାରିବା ନେଇ ବ୍ୟବସ୍ଥା ରହିଛି। ତେଣୁ ଟେଣ୍ଡର ପ୍ରକ୍ରିୟାକୁ ଏଡ଼ାଇ ବ୍ଲକ ସ୍ତରରେ ଏହି ସବୁ କାମ କରାଯାଇଛି। ନିୟମ ବା ମଡେଲ ଏଷ୍ଟିମେଟ ଅନୁସାରେ ତଥା ଥାର୍ଡ ପାର୍ଟି ଏନଏବିଏଲ ଲ୍ୟାବ ଅନୁସାରେ ପ୍ରତି ହାଇ ମାଷ୍ଟରେ ୪ଟି ୧୦୦ ୱାଟ ଅଲ୍ ଇନ ୱାନ୍(ଏଆଇଓ) ସୋଲାର ଲାଇଟ ରହିବ। ପ୍ରତି ୧୦୦ୱାଟର ଏସଆଇଓରେ ନିଶ୍ଚିତ ଭାବେ ୧୮୦ ୱାଇପି ମୋନୋ ପ୍ୟାନେଲ ଓ ୧୨.୮ ଭୋଲ୍ଟ ୯୬ ଏଏଚ ଲାଇଫପିଓ୪ ବ୍ୟାଟେରି ଓ ପ୍ରାରମ୍ଭିକ ଲୁମେନ ଆଉଟପୁଟ୍ ୧୫୦୦୦ ଲୁମେନରୁ ରହିବ। କିନ୍ତୁ ବିଭିନ୍ନ ବ୍ଲକ ପକ୍ଷରୁ କରାଯାଇଥିବା କାମରେ ୬୦ ୱାଟ ଏଆଇଓ ସୋଲାର ଲାଇଟ ଲଗାଯାଇଛି। ଏଥି ସହିତ କମ୍ ରେଟିଂର ସୋଲାର ପ୍ୟାନେଲ ଲଗାଯାଇଛି। ୧୮୦ ୱାପି ବଦଳରେ ପ୍ରାୟ ୧୦୦ ୱାଇପି ଲଗାଯାଇଛି। ୯୬ ଏଚ ବ୍ୟାଟେରି ବଦଳରେ ୧୨.୮ ଭୋଲ୍ଟର ୪୮ ଏଏଚ୍ କମ୍ କ୍ଷମତା ବିଶିଷ୍ଟ ବ୍ୟାଟେରି ଲଗାଯାଇଛି। ସେହିଭଳି ଭାବେ ୧୫୦୦୦ ଲୁମେନ ବଦଳରେ ୯୦୦୦ ଲୁମେନ ଆଉଟପୁଟ ବିଶିଷ୍ଟ ବ୍ୟାଟେରି ବ୍ୟବହାର କରାଯାଇଛି। ଏଭଳିି ନିମ୍ନ ମାନର କାମ ପାଇଁ ଏକ ନିର୍ଦ୍ଦିଷ୍ଟ କମ୍ପାନି/ବ୍ରାଣ୍ଡ୍ର ସୋଲାର ଲାଇଟ ଠିକାଦାର ଲଗାଇଛି। ଏମସିଏଲ ଦ୍ୱାରା ଅନୁମୋଦନପ୍ରାପ୍ତ ଆର ଆଣ୍ଡ ବି ଦ୍ୱାରା ପ୍ରସ୍ତୁତ ମଡେଲ ଏଷ୍ଟିମେଟରେ ଉଲ୍ଲେଖ ସ୍ପେସିମେନ, ବ୍ରାଣ୍ଡ୍କୁ ଅଣଦେଖା କରି ତଥା ଏନଏବିଏଲ ଲାବୋରେଟୋରି ରିପୋର୍ଟ ନଥିବା, ୱିଣ୍ଡ୍ ସ୍ପଡ୍ ରିପୋର୍ଟ ଓ ଆଇଇସି ସାର୍ଟିଫିକେସନ ନ ଥିବା ଉତ୍ପାଦ ଏହି କାର୍ଯ୍ୟରେ ବ୍ୟବହାର କରାଯାଇଛି। ନିମ୍ନ ମାନର ଶାସ୍ତା ସୋଲାର ଲାଇଟ ଲଗାଇବା ପାଇଁ ଠିକାଦାର ଏପରି ବ୍ରାଣ୍ଡ୍ର ଜିନିଷ ବ୍ୟବହାର କରିଛି ଯାହା ଏଷ୍ଟିମେଟ୍ରେ ଉଲ୍ଲେଖ ନାହିଁ। ଅନୁମୋଦନ ନଥିବା ଶସ୍ତା ବ୍ରାଣ୍ଡ୍ର ଲାଇଟ ଠିକାଦାର ଲଗାଇଛି। ସେହିଭଳି ଭାବେ ହାଇ ମାଷ୍ଟରେ ବ୍ୟବହୃତ ଷ୍ଟିଲ ୩୫୫ ଏନ/ବର୍ଗମିଟର ଏଚଟି ଷ୍ଟିଲ ନୁହେଁ। ଏହା ଏମସିଏଲ ଅନୁମୋଦିତ ଲାନଟେର୍ଣ୍ଣ ଧରି ରଖିବା କ୍ଷମତା ଅନୁସାରେ ନାହିଁ। ଲାନଟେର୍ଣ୍ଣ କ୍ୟାରେଜରେ ୪ଟି ୭୬ଏମଏମ ଜିଆଇ ପାଇପର ଏଲ ବ୍ରକେଟ ଲାଗିବା କଥା, ଯାହାର ଲମ୍ବା ୧ ମିଟର ଓ ଉଚ୍ଚତା ୧ ମିଟର। କିନ୍ତୁ ୧ ମିଟରରୁ କମ ଲମ୍ବ ଓ ଅଧ ମିଟରରୁ କମ ଉଚ୍ଚର ଲାଗିଛି। ଆର ଆଣ୍ଡ ବି ଦ୍ୱାରା ପ୍ରସ୍ତୁତ ଏଷ୍ଟିମେଟ ତଥା ଏମସିଏଲ ଦ୍ୱାରା ଅନୁମୋଦିତ ମାନର କାମ ନ କରି ନିମ୍ନ ମାନର ସୋଲାର ଲାଇଟ ଓ ଆନୁସଙ୍ଗିକ ସାମଗ୍ରୀ ଠିକାଦାର ବ୍ୟବହାର କରିଛନ୍ତି। ଏପରି ନିମ୍ନ ମାନର କାମକୁ ଘଂଟ ଘୋଡାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆର ଆଣ୍ଡ ବି ଅଧିକାରୀଙ୍କୁ କ୍ଲିୟରାନ୍ସ ଦେବାକୁ କୁହାଯାଉଛି। କାମ ଆରମ୍ଭ ସମୟରେ ବା କାର୍ଯ୍ୟକାରୀ ସମୟରେ ଆର ଆଣ୍ଡ ବିକୁ କେ?ଣସି ଭାବେ ଏହି ସବୁ କାର୍ଯ୍ୟରେ ସଂପୃକ୍ତ କରାଯାଇ ନଥିଲା। ଟେଣ୍ଡନ କରାଯାଇ ନଥିଲା। ବର୍ତମାନ ନିମ୍ନ ମାନର କାମ କରିବା ପରେ ଆର ଆଣ୍ଡ ବିକୁ ଅନୁମୋଦନ ପ୍ରଦାନ ପାଇଁ କୁହାଯାଉଛି କେବଳ ଦୁର୍ନୀତି ଓ ଅନିୟମିତତାକୁ ସଫା କପଡ଼ା ପିନ୍ଧାଇବାକୁ। ଯଦି ଭବିଷ୍ୟତରେ କୌଣସି ସମସ୍ୟା ହୁଏ ତେବେ ଆର ଆଣ୍ଡ ବି ଡିଭିଜନ ମାନ ଯାଂଚ କରିଥିଲା କହି ଦୋଷ ଖସାଇ ଦେଇ ହେବ। ଆର ଆଣ୍ଡ ବି ଏପରି କାମକୁ କ୍ଲିୟରାନ୍ସ ଦେଇଥିବାରୁ ଦେଇ ବିଡିଓ ଓ ଠିକାଦାରଙ୍କ କିଛି ଦୋଷ ନାହିଁ ବୋଲି କୁହାଯିବ। ଏମସିଏଲ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି ନିମ୍ନ ମାନର କାମ ହୋଇଥିବାରୁ ଏହାର ସିବିଆଇ ତଦନ୍ତ ହେବା ଉଚିତ। ହାଇ ମାଷ୍ଟ ସୋଲାର ଲାଇଟ ଓ ଏଥିରେ ବ୍ୟବହୃତ ଆନୁସଙ୍ଗିକ ସାମଗ୍ରୀର ସିପିଡବ୍ଲୁଡି ଯନ୍ତ୍ରୀଙ୍କ ଦ୍ୱାରା ମାନ ଯାଂଚ ହେଲେ ସତ ପଦାକୁ ଆସିବ। ଆର ଆଣ୍ଡ ବି ଏଷ୍ଟିମେଟ ଦେବା ସହିତ ଏମସିଏଲ ଟଙ୍କା ମଞ୍ଜୁର କରିଥିଲା। କିନ୍ତୁ ସମଗ୍ର କାମ ପାଇଁ ଟେଣ୍ଡର ଆହ୍ୱାନ ନ କରି ତାକୁ ଭାଙ୍ଗି ବିଭିନ୍ନ ବ୍ଲକରେ ବିଡିଓଙ୍କ ମାଧ୍ୟମରେ ବିଭାଗୀୟ କାର୍ଯ୍ୟ ଦର୍ଶାଇ କେଉଁ ପରିସ୍ଥିତିରେ ସଂପାଦନ କରାଯାଇଥିଲା ତାହାର ତଦନ୍ତ ହେବା ଉଚିତ। ଏଥି ସହିତ ଏଷ୍ଟିମେଟରେ ଉଲ୍ଲେଖ ମାନ ଅନୁସାରେ କାର୍ଯ୍ୟ କରାଯାଇଛି କି ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଛି ତାହା ମଧ୍ୟ ଅନୁଧ୍ୟାନ କରିଲେ ଦୁର୍ନୀତିର ପର୍ଦ୍ଦଫାସ ହେବ। ଯଦି ନିମ୍ନ ମାନର କାମ ପାଇଁ ଲଗା ଯାଇଥିବା ଲାଇଟ୍ ପିଲାଙ୍କ ଉପରେ ଖସି ପଦେ ତେବେ କିଏ ଦାୟୀ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସହିତ ବୈଷୟିକ ଜ୍ଞାନ ନ ଥିବା ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ କଣ ପାଇଁ ଏହି କାମ କୁ ଅନୁମୋଦନ ବା କ୍ଲିୟରାନସ ଦେବାକୁ ଆର ଆଣ୍ଡ ବି ଅଧିକାରୀଙ୍କୁ ଚାପ ଦେଉଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ କ୍ଷକ୍ଷ ଜିଲ୍ଲା ପ୍ରଶାସନ ଏହି ବୃହତ ଦୁର୍ନୀତି ଘଟଣା, ବେଆଇନ କାର୍ଯ୍ୟ ଓ ଅନିୟମିତତା ର ତଦନ୍ତ କରି ଦୋଷୀ ଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି ଦୋଷୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସଙ୍ଗେ ସଙ୍ଗେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଜିଲ୍ଲା ସଭାପତି ନଳିନୀ ମହାନ୍ତି ଧମକ ଦେଇଛନ୍ତି ।