Odiapua.com

ହାଇୱା ଧକ୍କାରେ ସାଇକେଲ୍ ଆରୋହୀ ମୃତ, ବାଇକ୍ ଚାଳକ ଗୁରୁତର

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ୧୬ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଦ୍ରୁତ ଗତିରେ ଆସୁଥିବା ହାଇୱାଟି ପ୍ରଥମେ ସାଇକେଲ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଓ ପରେ ଜଣେ ବାଇକ୍ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଇକେଲ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଆରୋହୀ ଜଣଙ୍କ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଗୁରୁତର ବାଇକ୍ ଆରୋହୀଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ସାଇକେଲ୍ ଆରୋହୀଙ୍କ ପରିଚୟ ମିଳିନଥିବାବେଳେ ଗୁରୁତର ବାଇକ୍ ଆରୋହୀ ଜଣଙ୍କ ଗେଲପୁର ଅଂଚଳର ହୋଇଥିବା ସୂଚନା ମିଳିଛି।