Odiapua.com

ହାଇୱା ଚଳାଚଳକୁ ନେଇ ଉତ୍ତେଜନା, ବାଂଶପାଣି ଓ ଜୁରୁଡି ରେଳ ସାଇଡିଂ ରେ ପୁଲିସ ଛାଉଣି

ଯୋଡା, ୧୨/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାଂଶପାଣି ଓ ଜୁରୁଡି ରେଳ ସାଇଡିଂକୁ ହାଇୱା ଯୋଗେ ଲୁହାପଥର ପରିବହନ ନେଇ ଉତ୍ତେଜନା ଦେଖାଦେଇଛି । ଯୋଡା ଏବଂ ଜୁରୁଡି ଖଣି କ୍ଷେତ୍ରରେ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ନାମକ ଏକ ଟ୍ରକ ମାଲିକ ସଂଘ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି ଆସୁଛି । ଏହି ସଂଘରେ ପ୍ରାୟ ୩ ରୁ ୪ ହଜାର ୬ ଚକିଆ ଟିପର ଅନୁବନ୍ଧିତ ରହି ବିଭିନ୍ନ ଖଣିରୁ ରେଳ ସାଇଡିଂ ଗୁଡିକୁ ଲୁହାପଥର ପରିବହନ କରିଥାନ୍ତି । ତେବେ ନୂତନ ଖଣି କମ୍ପାନୀ ଜିନ୍ଦଲ ସାଉଥ ୱେଷ୍ଟ ଷ୍ଟିଲ ଲିଃ (ଜେଏସ୍‌ଡବ୍ଲୁ) ଯୋଡା ଖଣି କ୍ଷେତ୍ରରେ ୪ଟି ବୃହତ ଖଣିର ମାଲିକାନା ପାଇବା ପରେ ଲୁହା ପଥର ଉତ୍ତୋଳନ କରି ବାଂଶପାଣି ଏବଂ ଜୁରୁଡି ରେଳ ସାଇଡିଂ ଗୁଡିକରୁ ପରିବହନ କାର୍ଯ୍ୟ ଆରମ୍ଭ କରିଛି । ମାଟୋଆ ଅନୁବନ୍ଧିତ ଥିବା ଟ୍ରକ ଗୁଡିକରେ ପରିବହନ ପର୍ଯ୍ୟାପ୍ତ ପରିମାଣରେ ହୋଇପାରୁନଥିବାରୁ ବିଭିନ୍ନ ରେଳ ସାଇଡିଂରେ ଲୁହାପଥର ପରିବହନ ନିମନ୍ତେ ଆସିଥିବା ରେଳ ଡବା ବୋଝେଇ ବିଳମ୍ବ ହେଉଥିବାରୁ ରେଳ ବିଭାଗ ପକ୍ଷରୁ ଜୋରିମାନା ପୈଠ କରିବାକୁ ପଡୁଛି । ତେଣୁ ହାଇୱା (ବଡ ଗାଡି) ଯୋଗେ ପରିବହନ କରି ଏହି ଅସୁବିଧା ଦୁର କରିବା ନିମନ୍ତେ ଜେଏସ୍‌ଡବ୍ଲୁ ପ୍ରଶାସନର ସହାୟତା ଲୋଡିଛି । ଯାହାକୁ ମାଟୋଆ ସଂଘ ବିରୋଧ କରିଛି । ହାଇୱା ଚଳାଚଳ ହେଲେ ଏହି ୩-୪ ହଜାର ଟ୍ରକ ମାଲିକ ନିଜର ଜୀବିକା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସଂଘ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ୨ଟି ରେଳ ସାଇଡିଂରେ ପୁଲିସ ଏବଂ ଡମ୍ପର ମାଲିକ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ହାଇୱା ଯୋଗେ ରେଳ ସାଇଡିଂକୁ ପରିବହନ କାର୍ଯ୍ୟ ଆଜି ପ୍ରଥମ ଦିନରେ ଆରମ୍ଭ ହୋଇଛି । ସଂଘ ପକ୍ଷରୁ ସଂଘର ସଭାପତି ଚତୁର୍ଭୁଜ ପଲେଇ ଏବଂ ଅନ୍ୟ କେତେକ କର୍ମକର୍ତ୍ତା ଜୁରୁଡି ରେଳ ସାଇଡିଂରେ ପହଞ୍ଚି ବଡବିଲ ଏସ.ଡି.ପି.ଓ. ସତ୍ୟବିକାଶ ଭୂୟାଁ, ଯୋଡା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଙ୍କ ସହ ଆଲୋଚନା କରିଥିଲେ । ତେବେ ଆଜିର ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଡମ୍ପର ମାଲିକମାନେ ହାଇୱା ଚଳାଇନଦେବାକୁ ଜିଦ୍ ଧରିଥିଲେ । ଏହି ଆଲୋଚନାକୁ ସ୍ଥଗିତ ରଖାଯାଇ ଯୋଡା ଥାନାରେ ଉଭୟ ପକ୍ଷରୁ ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଘଟଣା ସ୍ଥଳରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ୮ ପ୍ଲାଟୁନ ପୁଲିସ ବଳ ନିୟୋଜିତ କରାଯାଇଥିବା ବେଳେ ବାଂଶପାଣି ଏବଂ ଜୁରୁଡି ରେଳ ସାଇଡିଂ ପୁଲିସ ଛାଉଣିରେ ପରିଣତ ହୋଇଥିବା ଦେଖିବାକୁ ମିଳିଥିଲା ।