Odiapua.com

ହାଇସ୍କୁଲରେ ସଂସ୍କୃତ ଶିକ୍ଷା ସଂକୋଚନ ବିରୁଦ୍ଧରେ ପ୍ରତିବାଦ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାର ହାଇସ୍କୁଲରେ ୩ୟ ଭାଷା ସ୍ଥାନରେ ବିକଳ୍ପରେ ଧନ୍ଦାମୂଳକ ଶିକ୍ଷାକୁ ଅବିଚାରିତ ଭାବେ ଲଦି ଦେଇ ସଂସ୍କୃତ ଶିକ୍ଷାକୁ ସଂକୁଚିତ କରୁଛନ୍ତି ବୋଲି ଅଖିଳ ଭାରତୀୟ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ବିଭିନ୍ନ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରତିବାଦ କରିଛନ୍ତି । ଏହି କ୍ରମରେ ଆଜି ପ୍ରଚାର ସମିତିର ଭଦ୍ରକ ଜିଲ୍ଲା ସଭାପତି ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ସମିତିର କର୍ମକର୍ତ୍ତା ଓ ସଂସ୍କୃତପ୍ରେମୀଗଣ ବହୁ ସଂଖ୍ୟାରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଧନ୍ଦାମୂଳକ ଶିକ୍ଷା ଏକ ଭାଷା ଶିକ୍ଷା ହୋଇ ନଥିବାରୁ ଏହାକୁ ତୃତୀୟ ଭାଷା ସ୍ଥାନରୁ ହଟାଯାଇ ଅନ୍ୟ ଏକ ବିଷୟ ଭାବେ ପଢାଯାଉ ବୋଲି ଦାବିପତ୍ରରେ ସଦସ୍ୟଗଣ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ପ୍ରଥମେ ୨୦୭ଟି ହାଇସ୍କୁଲରେ ଏହିପରି ପାଠ୍ୟକ୍ରମ ପ୍ରବର୍ତ୍ତନ କରିଥିବା ବେଳେ ଏବର୍ଷ ୩୫ଟି ହାଇସ୍କୁଲ ପୁନଃ ପ୍ରଚଳନ କରୁଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ମାତ୍ର ୩୦ ମାର୍କ ପାଠ ଥିବା ବେଳେ ୭୦ ମାର୍କ ପ୍ରାକ୍ଟିକାଲ ଥିବାରୁ ଛାତ୍ରଛାତ୍ରୀମାନେ ଅନାୟାସରେ ଅତ୍ୟଧିକ ମାର୍କ ପାଉଥିବାରୁ ଭାଷା ଶିକ୍ଷା ଛାଡ଼ି ଧନ୍ଦାମୂଳକ ବିଷୟ ନେବାକୁ ଆଗ୍ରହୀ ହେଉଛନ୍ତି । ଏହା ଫଳରେ ସଂସ୍କୃତ ଭଳି ଏକ ନୈତିକ ମୂଲ୍ୟବୋଧ ଓ ସଂସ୍କୃତି ଐତିହ୍ୟ ସମ୍ପନ୍ନ ବିଷୟ ପଢିବା ସୁଯୋଗରୁ ସେମାନେ ବଞ୍ଚିତ ହେଉଛନ୍ତି । ଏଣୁ ସରକାର ତୁରନ୍ତ ସଂସ୍କୃତ ଶିକ୍ଷା ସଂକୋଚନ ନୀତିରୁ ଓହରି ଯାଆନ୍ତୁ ବୋଲି ଦାବି କରାଯାଉଛି ।