Odiapua.com

ହାଇଦ୍ରାବାଦକୁ କାମ କରିବାକୁ ଯାଇ ୬ ମାସର ମଜୁରୀ ପାଇନଥିବା ଶ୍ରମିକ ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କଲେ

ମାଲକାନଗିରି, ୨୯ା୪ (ଓଡିଆ ପୁଅ) କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ରୋଜଗାରକ୍ଷମ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ଏବେ ବି ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଠକାମିର ଶୀକାର ହେଉଛନ୍ତି ଗରିବ ଆଦିବାସୀ ଶ୍ରମିକ ମାନେ। ଅଧିକ ମଜୂରୀପାଇବା ଆଶାରେ ହାଇଦ୍ରାବାଦକୁ କାମକରିବାକୁ ଯାଇ ୬ମାସର ମଜୂରୀ ନପାଇ ନିରାଶ ହୋଇ ଘରକୁ ଫେରି ଆଜି ମାଲକାନଗିରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କିଛି ଆଦିବାସୀ ଯୁବକ, ମାଲକାନଗିରି ବ୍ଲକସ୍ଥ ଶିଖପାଲି ପଞ୍ଚାୟତର କୋଡେଲମେଟଲା ଗ୍ରାମର ଜଗା ମାଡକାମି(୨୫), ଗଙ୍ଗା ପଡିଆମି(୨୩), ରାମ ପଡିଆମି(୨୮) ଙ୍କୁ ଦିନକୁ ଖାଇପିଇ ୪୦୦ଟଙ୍କା ଲେଖା ଅଧିକ ମଜୂରୀମିଳିବ ବୋଲି କହି କାଲିମେଳା ଥାନାସ୍ଥ ଏମଭି ୭୦ ଗ୍ରାମର ନାରାୟଣ ଦାସ ଓ ଆଧାର ଦାସ ଗତ ୪ ମାସତଳେ ହାଇଦ୍ରାବାଦକୁ ନେଇ ଏକ କୋଠାଘର ନିର୍ମାଣ କାମରେ ଲଗାଇଥିଲେ। ଏମାନଙ୍କୁ ଖାଇବା ପାଇଁ କେବଳ ୭୫୦୦ ଟଙ୍କା ଦେଇଥିଲେ। ଗତ ୧୧ ତାରିଖରେ ମାଲକାନଗିରିରେ ନିର୍ବାଚନ ହେବାରୁ ସେମାନେ ଭୋଟ ଦେବାକୁ ଯିବେ କହି ମାଲିକଙ୍କୁ ୪ମାସର ମଜୂରୀ ଟଙ୍କା ମାଗିବାରୁ ତୁମେ ଗାଁକୁ ଯାଅ ମୁ ଟଙ୍କା ପଠାଇଦେବି କହି ବିଦା କରିଦେଇଥିଲେ। ସେମାନଙ୍କୁ ନେଇଥିବା ଠିକାଦାରଙ୍କୁ ଟଙ୍କା ମାଗିବାରୁ ସେ କହିଥିଲେ ତୁମେ ଘରକୁ ପଳାଇ ଆସିଛ ଆଉ ତୁମକୁ ଟଙ୍କା ଦିଆ ଯିବାନାହିଁ। ଏହା ଶୁଣିବା ପରେ ମଜୂରୀ ପାଇନଥିବା ଗଙ୍ଗା, ରାମ, ଜଗା ତନିଜଣ ଶ୍ରମିକ ଗାଁର ଜଣେ ଶିକ୍ଷିତ ଯୁବକ ନିଲା ମାଡକାମିଙ୍କୁ କହିବାରୁ ସେ ଆଜି ଶ୍ରମିକ ମାନଙ୍କୁ ଧରି ମାଲକାନଗିରି ଜିଲ୍ଲା ଶ୍ରମଅଧିକାରୀ ମଦନମୋହାନ ପାଇକ ଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି। ଜିଲ୍ଲାଶ୍ରମ ଅଧିକାରୀ ସଂପୃକ୍ତ ଠିକାଦାର ଓ ହାଇଦ୍ରାବାଦର ନିରର୍ମାଣ କମ୍ପାନିଙ୍କ ନିକଟକୁ ନୋଟିସ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

କେବଳ ଏହି ତିନିଜଣ ଠକାମିର ଶୀକାର ହୋଇ ନାହାନ୍ତି ସେମାନଙ୍କ ପରି ସେହିଗ୍ରାମର ମହେନ୍ଦ୍ର ପଡିଆମି, ଗଙ୍ଗାସୋଡି, ନନ୍ଦପଡିଆମି, ମାରା ସୋଡି, ଆଇତା ମାଡକାମି, ଗଙ୍ଗା ମାଡକାମି ଙ୍କୁ ଏମଭି ୩୯ ଗ୍ରାମର ଜଣେ ଠିକାଦର ହାଇଦ୍ରାବାଦକୁ ନେଇ କାମକରାଇ ଦୁଇମାସର ମଜୂରୀ ଦେଇନଥିବାର ଅଭିଯୋଗ ହୋଇଛି। ଇତି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩୦ ହଜାର ୬୩୯ ଜଣ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକରଣ ହୋଇଛି, ସାମାଜିକ ସୁରକ୍ଷାରେ ୨ ହଜାର ଅଣ ସଂଗଠିତ ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କରାଯାଇ ସେମନଙ୍କୁ ସମସ୍ତ ପ୍ରକାର ସରକାରି ସହାୟତା ଯୋଗାଇ ଦିଆ ଯାଇଛି, ଯେଉଁ ଶ୍ରମିକମାନେ ନିଜର ନାମ ପଞ୍ଜିକରଣ କରି ନାହାଁନ୍ତି ତୁରନ୍ତ ସେମାନେ ଶ୍ରମବିଭାଗକୁ ଆସି ନିଜ ନିଜର ନାମ ପଞ୍ଜିକରଣ କରି ସରକାରି ସୁବିଧା ସୁଯୋଗ ନିଅନ୍ତୁ, ମାଲକାନଗିରି ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ବ୍ୟକ୍ତି ଓ ଠିକାଦାର ମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଏମ.ପାଇକ କହିଛନ୍ତି। ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ମାନବଚାଲାଣ କାରି ଦଲାଲଙ୍କ ସଂଖ୍ୟା ବଢିଚାଲିଛି। ଅଧିକ ମଜୂରୀ ମିଳିବାର ଲୋଭ ଦେଖାଇ ଗରିବ ନିରିହ ଆଦିବାସୀ ମାନଙ୍କୁ ହାଇଦ୍ରାବାଦକୁ ପଠାଇ ଦାଦନଶ୍ରମିକ ଭାବେ ଖଟାଇ ମଜୂରୀ ନଦେଇ ଠକୁଥିବାର ଜଣାପଡିଛି। ପ୍ରଥମେ ଏହି ଦଲାଲମାନଙ୍କୁ ଜିଲ୍ଲାପ୍ରଶାସନ ଓ ଶ୍ରମବିଭାଗ ପକ୍ଷରୁ ଠାବକରି ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବିହେଉଛି।