Odiapua.com

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ: ସରକାରଙ୍କ ଆଞ୍ଚଳିକ ବୈଷମ୍ୟ ବିରୁଦ୍ଧରେ ଆଇନଜୀବୀ ମାନଙ୍କ ଦୁର୍ବାର ଆନ୍ଦୋଳନ ପ୍ରସ୍ତୁତି

ବ୍ରହ୍ମପୁର: ୩୧ ୦୫/୨୦୧୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଓଡିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲମାନଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି। ସେହି ପ୍ରସଙ୍ଗରେ ରାଜ୍ୟ ସରକାର ସମାଧାନର ପଦକ୍ଷେପ ନେବା ପରିବର୍ତ୍ତେ ଆଞ୍ଚଳିକ ବୈଷମ୍ୟର ବୀଜ ବୁଣି ଆଇନଜୀବୀ ମାନଙ୍କ ଏକତା ଓ ଆନ୍ଦୋଳନ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଦର୍ଶାଇଛନ୍ତି ବ୍ରହ୍ମପୁରର ଗଞ୍ଜାମ ବାର ଆସୋସିଏସନ ର ସେକ୍ରେଟାରୀ ଶ୍ରୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ । ଏହାର ପ୍ରତିବାଦ ସହ ଦୁର୍ବାର ଆନ୍ଦୋଳନ ପାଇଁ ଆଇନଜୀବୀମାନେ ପ୍ରସ୍ତୁତ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି କରି ଗଞ୍ଜାମ ବାର ଆସୋସିଏସନ ପକ୍ଷରୁ ଦୀର୍ଘ ତିନି ଦଶନ୍ଧି ଧରି ବିଭିନ୍ନ ପର୍ଯ୍ୟାୟ ରେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଏକ ଧାରା ଭାବେ ଆଇନଜୀବୀ ମାନେ ପ୍ରତିମାସର ଶେଷ ଚାରି ଦିନ କୋର୍ଟ ବର୍ଜ୍ଜନ କରି ପ୍ରତିବାଦ ଆନ୍ଦୋଳନ ଚଳାଇଛନ୍ତି।

ମଇ ମାସର ଚାରି ଦିନିଆ କୋର୍ଟ ବର୍ଜ୍ଜନ ଆନ୍ଦୋଳନ ଅବସରରେ ଆଜି ସମବେତ ଆଇନ ଜୀବୀ ମାନେ ଓଡ଼ିଶାର ସର୍ବ ପୁରାତନ ବାର ଆସୋସିଏସନ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନଭାବ ଚରମ ସୀମାରେ ପହଁଚିଲାଣି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

ଗଞ୍ଜାମ ବାର ଆସୋସିଏସନ ର ୧୭୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ବ୍ୟାପକ ଆୟୋଜନ ବେଳେ ଆଇନଜୀବୀମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ କଲ୍ୟାଣ, ଆଇନ ସଚେତନତା ଓ ଜନସାଧରଣ ଓ ସରକାରୀ କର୍ମଚାରୀଙ୍କ ଦାୟିତ୍ୱବୋଧତା ସମ୍ପର୍କୀୟ ସଚେତନତା ଅଭିଯାନ ଇତ୍ୟାଦି କରାଯିବାକୁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି।

ବାର ଆସୋସିଏସନ ର ଉପ ସଭାପତି ଶ୍ରୀ ଚିତ୍ତ ରଞ୍ଜନ ଶତପଥୀ, ବରିଷ୍ଠ ଆଇନଜୀବୀ ସର୍ବଶ୍ରୀ ପ୍ରଦୀପ କୁମାର ଦାଶ, ଶିବ ପ୍ରସାଦ ମିଶ୍ର, ରାମ ପ୍ରସାଦ, ହେମନ୍ତ ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ପ୍ରତିକ୍ରିୟା ରଖିଛନ୍ତି।