Odiapua.com

ହାଇକୋର୍ଟ ରାୟ ପରେ ମଧ୍ୟ ଜମି ଦଖଲକୁ ନେଇ ବିବାଦ, ନ୍ୟାୟ ପାଇଁ ଗୁହାରି କଲେ ଆଇନଗତ ଉତରାଧିକାରୀ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଗରଦପୁର ମୌଜାର ଏକ ଜମିବାଡ଼ିକୁ କେନ୍ଦ୍ର କରି ପ୍ରାୟ ଚାରି ଦଶକ ଧରି ଚାଲିଆସୁଥିବା ଆଇନଗତ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୀଡ଼ିତ ପରିବାରଙ୍କ ସପକ୍ଷରେ ରାୟ ପ୍ରଦାନ କରି ଜମିର ଅଧିକାର ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ସତ୍ୱେ ମଧ୍ୟ ସ୍ଥାନୀୟ ସ୍ତରରେ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ପରିବାର ସୂତ୍ରରୁ ପ୍ରକାଶ ଯେ, ସ୍ୱର୍ଗତ ଏସ୍‌.କେ. ଅଟାଉଲ୍ଲାହଙ୍କ ନାମରେ ଥିବା ଜମିକୁ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ନ୍ୟାୟାଳୟରେ ମାମଲା ଚାଲିଥିଲା। ଏହି ମାମଲାରେ ସରକାରୀ ଭାବେ ଡିମାର୍କେସନ (ସୀମା ନିର୍ଦ୍ଧାରଣ) ସମ୍ପନ୍ନ ହୋଇଥିବା ବେଳେ ଏହାର ରିପୋର୍ଟ ମଧ୍ୟ ପରିବାରଙ୍କ ସପକ୍ଷରେ ଆସିଥିଲା। ପରବର୍ତୀ ସମୟରେ ମାନ୍ୟବର ହାଇକୋର୍ଟ ମଧ୍ୟ ଜମି ଉପରେ ପରିବାରର ବୈଧ ଅଧିକାରକୁ ସ୍ୱୀକୃତି ଦେଇ ଜମି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରିବାରର ଅଭିଯୋଗ ଅନୁଯାୟୀ, ନ୍ୟାୟାଳୟର ରାୟ ଏବଂ ପ୍ରଶାସନିକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ମଧ୍ୟ ବିପକ୍ଷ ପକ୍ଷର କିଛି ବ୍ୟକ୍ତି ଜମିରେ କୌଣସି ପ୍ରକାର କାର୍ଯ୍ୟ କରିବାକୁ ଦେଉନାହାନ୍ତି। ଏପରିକି ବାରମ୍ବାର ଧମକ, ଭୟଭୀତ କରିବା ଏବଂ ମାରପିଟ କରିବାକୁ ଉଦ୍ୟମ କରାଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି। ସ୍ୱର୍ଗତ ଏସ୍‌.କେ. ଅଟାଉଲ୍ଲାହଙ୍କ ଆଇନଗତ ଉତରାଧିକାରୀ ଭାବେ ତାଙ୍କ ପତ୍ନୀ ରାଫାତୁନ ବିବି ଏବଂ ସନ୍ତାନ ସାମସୁନ ବିବି, ଏସ୍‌.କେ. ଜାଫରୁଲ୍ଲାହ, ଏସ୍‌.କେ. ହାଫିଜୁଲ୍ଲାହ, ଏସ୍‌.କେ. ତାମିଜୁଲ୍ଲାହ, ଏସ୍‌.କେ. ଜିଆଉଲ୍ଲାହ, ଏସ୍‌.କେ. ଅଜିଜୁଲ୍ଲାହ, ଏସ୍‌.କେ. ଏମ୍‌.ଡି. ଆହେସାନୁଲ୍ଲାହ, ରାଜିଆ ସୁଲତାନା ଏବଂ ଏସ୍‌.କେ. ରିଜୱାନୁଲ୍ଲାହ ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପରିବାର ସଦସ୍ୟମାନେ କହିଛନ୍ତି ଯେ, ସେମାନେ ଶିକ୍ଷିତ ଓ ଶାନ୍ତିପ୍ରିୟ ନାଗରିକ ହୋଇଥିବାରୁ କୌଣସି ପ୍ରକାର ଝଗଡ଼ା କିମ୍ବା ଆଇନକୁ ହାତକୁ ନେବାକୁ ଚାହୁଁନାହାନ୍ତି। ନ୍ୟାୟାଳୟର ରାୟକୁ ସମ୍ମାନ ଜଣାଇ ସେମାନେ ଆଇନ ଅନୁଯାୟୀ ଜମିରେ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ବାରମ୍ବାର ସୃଷ୍ଟି ହେଉଥିବା ବାଧା ସେମାନଙ୍କୁ ଚିନ୍ତାରେ ପକାଇଛି। ପ୍ରାୟ ୪୦ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ଉଚ୍ଚ ନ୍ୟାୟାଳୟରୁ ସପକ୍ଷରେ ରାୟ ପାଇଥିଲେ ମଧ୍ୟ ଜମିର ବାସ୍ତବ ଦଖଲ ଓ ବ୍ୟବହାରରେ ବାଧା ଆସୁଥିବାରୁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଦାବି କରାଯାଇଛି। ନ୍ୟାୟାଳୟର ରାୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ସହ ପରିବାରକୁ ଆଇନ ଅନୁଯାୟୀ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ନେଇ ଗରଦପୁର ଏବଂ ଆଖପାଖ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବହୁ ବର୍ଷର ଆଇନଗତ ଲଢ଼େଇ ପରେ ମିଳିଥିବା ରାୟର ପୂର୍ଣ୍ଣ କାର୍ଯ୍ୟକାରିତା କେବେ ହେବ, ତାହାକୁ ନେଇ ସ୍ଥାନୀୟ ମହଳରେ ମଧ୍ୟ ଉତ୍ସୁକତା ପ୍ରକାଶ ପାଉଛି।