Odiapua.com

ହାଇକୋର୍ଟର ଯୁଗାନ୍ତକାରୀ ଐତିହାସିକ ନିର୍ଦ୍ଦେଶନାମାକୁ ଆଧ୍ୟାତ୍ମିକ ଜଗତର ଦିବ୍ୟ ଅଭିନନ୍ଦନ

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ହାଇକୋର୍ଟ ୨୦୨୨ ମସିହାର ପ୍ରାରମ୍ଭରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର ଲର୍ଡସିପକୁ ଉଠାଇ ସାର୍ (ମହାଶୟ) ସମ୍ବୋଧନ କୁ ପ୍ରୟୋଗ କରିବା ଏବଂ ଏହି ଯୁଗାନ୍ତକାରୀ ଐତିହାସିକ ପ୍ରଥମ ନିର୍ଦ୍ଦେଶନାମା ପ୍ରକାଶ କରିଥିବାରୁ ଆଜି ସାରା ଆଧ୍ୟାତ୍ମିକ ଜଗତରେ ଆନନ୍ଦର ଲହରି ଖେଳି ଯାଇଛି । ଈଶ୍ୱରଙ୍କର ଭଗବତ୍ ସତ୍ତା ଓ ପ୍ରଭୁପଣିଆକୁ ବିଶ୍ୱାସ କରୁଥିବା କୋଟି କୋଟି ଜନମାନସକୁ ଏହି ନିଷ୍ପତ୍ତି ଓ ନିର୍ଦ୍ଦେଶନାମା ଖୁସି ଦେଇଛି । ସେଥିପାଇଁ ଆମ ଦେଶ ଆର୍ଯ୍ୟାବର୍ତ୍ତ ଭାରତବର୍ଷ ସମଗ୍ର ବିଶ୍ୱରେ ଗୁରୁରୂପେ ପ୍ରତିଭାତ । “ଏତଦ୍ଦେଶ ପ୍ରସୂତସ୍ୟ ସକାଶାଦ୍ ଅଗ୍ରଜନ୍ମନଃ । ସ୍ୱଂସ୍ୱଂ ଚରିତ୍ରଂ ଶିକ୍ଷେରନ୍ ପୃଥିବ୍ୟାଂ ସର୍ବେ ମାନବାଃ” ।ା ମନୁସ୍ମୃତିର ଏହି ଆପ୍ତବାକ୍ୟ ସାଙ୍ଗକୁ କପିଳସଂହିତା ର ଉଦ୍‌ଘୋଷଣ – “ବର୍ଷାଣାଂ ଭାରତଃ ଶ୍ରେଷ୍ଠଃ ଦେଶାନାଂ ଉତ୍କଳଃ ସ୍ମୃତଃ ଉତ୍କଳସ୍ୟ ସମୋଦେଶୋ ଦେଶନାସ୍ତି ମହୀତଳେ” । ଏଥିରୁ ସ୍ପଷ୍ଟ ଜଣାପଡେ, ପବିତ୍ର ଉତ୍କଳ ପ୍ରଦେଶ ଯେଉଁଠି ଜଗତର ନାଥ ବିରାଜିତ, କଳାକୃତି କୋର୍ଣାକ ଓ ନୀଳ ମହୋଦଧି ସୁଶୋଭିତ, ତ୍ୟାଗ ଓ ବଳିଦାନର ଭୁସ୍ୱର୍ଗ ଓଡ଼ିଶା ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଅନେକ ବରପୁତ୍ରଙ୍କ ସାଧନା ଆଜି ତ୍ୟାଗପୂତ ଓଡ଼ିଶାକୁ ଆଧ୍ୟାତ୍ମିକତାରେ ସମୃଦ୍ଧ କରାଇଛି ।

ସ୍ୱାଧୀନତାର ଦୀର୍ଘ କାଳ ପରେ ଏପରି ଏକ ଅଭିନବ ଅଭିନନ୍ଦନୀୟ ଅପୂର୍ବ ଐତିହାସିକ ପ୍ରଥମ ନିର୍ଦ୍ଦେଶନାମା ପାଇଁ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହୋଦୟଙ୍କୁ ରାଷ୍ଟ୍ରପତି ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଦ୍ୱାନ୍ ପଣ୍ଡିତ ଦୟାନିଧି ଦାଶ ଏବଂ ବିଶିଷ୍ଟ ଧର୍ମପ୍ରାଣ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କେବଳ କୃତଜ୍ଞତା ଜଣାଇନାହାଁନ୍ତି, ଦିବ୍ୟ ଅଭିନନ୍ଦନ ମଧ୍ୟ ବ୍ୟକ୍ତ କରିଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବାଣୀରେ – ‘ଈଶ୍ୱର ଆଲ୍ଲା ତେରେ ନାମ – ସବ୍‌କୋ ସନମତ ଦେ ଭଗବାନ’ । ଏହି ପ୍ରଭୁ ପଣିଆ, ଭଗବତ୍ ସତ୍ତା ଆଜିବି ବିଶ୍ୱରେ ସମସ୍ତଙ୍କ ଠାରେ ସ୍ୱୀକୃତ ଓ ଆଦୃତ । ବିଶାଳ ଭାରତବର୍ଷର ଗଣତନ୍ତ୍ର ମନ୍ଦିର ଏବଂ ଅଖଣ୍ଡ ଭୂଖଣ୍ଡ ବିଶ୍ୱରେ ଆମେ ସମସ୍ତେ ସେବକ ମାତ୍ର । ‘ଉଇ ଆର୍ ଅଲ୍ ସର୍ଭାଣ୍ଟ ଅଫ୍ ୱାଲର୍ଡ’ ‘ସବ୍‌କା ମାଲିକ ଏକ ହେ’ – ଏହି ଦିବ୍ୟଧ୍ୱନି ସମସ୍ତଙ୍କୁ ଦିବ୍ୟ ଚେତନାରେ ଉଦ୍‌ବୁଦ୍ଧ କରିବା ସଂଗେ ସଂଗେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଓ ବ୍ୟବସ୍ଥା ସମଗ୍ର ଦେଶରେ ପ୍ରଚଳିତ ହେବାକୁ ଆଧ୍ୟାତ୍ମିକ ଜଗତ ଏବଂ ବିଦ୍ୱତ୍ ପରିଷଦ ପକ୍ଷରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମେଳନରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାକୁମାର ଆଶ୍ରମର ବରିଷ୍ଠ ଭ୍ରାତା ଶାନ୍ତନୁ କୁମାର ରାଉତ ଉପସ୍ଥିତି ଥିଲେ ।