Odiapua.com

ହସନାବାଦରେ ମା’ ବାସନ୍ତୀ ଦୁର୍ଗା ମଣ୍ଡପ ଛାତ ଭୁଶୁଡ଼ିବା ଘଟଣା,କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ଓ ପ୍ରଶାସନିକ ନୀରବତା ନେଇ ସାଙ୍ଘାତିକ ଅଭିଯୋଗ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଦୁର୍ନୀତି ଏବଂ ପ୍ରଶାସନିକ ବେପରୁଆ ନୀତି ପୁଣି ଥରେ ପଦାକୁ ଆସିଛି। ବ୍ଲକର ହସନାବାଦ ପଂତାୟତସ୍ଥ ମା’ ବାସନ୍ତୀ ଦୁର୍ଗା ମଣ୍ଡପର ନବନିର୍ମିତ ଛାତ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି। ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତି, ବୈଷୟିକ ଜ୍ଞାନକୌଶଳର ଅଭାବ ଏବଂ ବ୍ଲକ ପ୍ରଶାସନର ଖାମଖିଆଲି ନୀତିକୁ ନେଇ ଗ୍ରାମବାସୀ ଏବଂ ବିରୋଧୀ ଦଳ ପକ୍ଷରୁ ବଡ଼ଧରଣର ଅଭିଯୋଗ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ସରକାରଙ୍କ ଅମଳରେ ଧୁଷୁରୀ ଜୋନର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକଙ୍କ ଉଦ୍ୟମରେ “ଆମ ଗାଁ ଆମ ବିକାଶ’ ଯୋଜନାରୁ ୩ ଲକ୍ଷ , ବିକଶିତ ଗାଁ ବିକଶିତ ଓଡ଼ିଶା ରେ ଅନୁଦାନ,।ଏବଂ ପରବର୍ତୀ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଅତିରିକ୍ତ୪ ଲକ୍ଷ ଟଙ୍କା ଏହି କୋଠା ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା। ୩ ଥର ସରକାରୀ ଅର୍ଥରେ କୋଠା ନିର୍ମାଣ ହୋଇଥିବା ସତ୍ୱେ, ଘଟଣାକୁ ଚାପି ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଏହା ସରକାରୀ ଟଙ୍କାରେ ହେଉନଥିଲା ବୋଲି ଓଲଟା ଯୁକ୍ତି ବାଢୁଛନ୍ତି। ଧାମନଗର ବିଡିଓ ବନବିହାରୀ ଦିନ୍ଦା ନିକଟରେ ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡି ର ଜିଲ୍ଲା ଉପସଭାପତି ପ୍ରଦୀପ ମଲିକ। କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି, ଗ୍ରାମବାସୀଙ୍କ କହିବାନୁଯାୟୀ, ଗତକାଲି ଛାତ ପଡ଼ିବା ସମୟରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରା ସେଠାରେ ଉପସ୍ଥିତ ଥିଲେ। ସେ ନିଜେ ଛାତ ପଡ଼ିବା ଦୃଶ୍ୟ ଦେଖିବା ସହ ଫଟୋ ମଧ୍ୟ ଉଠାଉଥିଲେ। ଶ୍ରୀ ବେହେରା ଜିପିଏସ ଟ୍ୟାଗ ଥିବା ସେହି ଫଟୋ ଗୁଡ଼ିକୁ ବ୍ଲକର ଅଫିସିଆଲ୍ ହ୍ୱାଟ୍ସଆପ୍ ଗ୍ରୁପରେ ପକାଇଥିଲେ। କିନ୍ତୁ ଛାତ ଭୁଶୁଡ଼ି ପଡ଼ିବାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ପରେ ନିଜ ଆଡୁ ସେହି ଫଟୋ ଗୁଡ଼ିକୁ ଗ୍ରୁପ ରୁ ଡିଲିଟ କରିଦେଇଥିଲେ, ଯାହା ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରାଙ୍କ ଅଧୀନରେ ଏକାସାଙ୍ଗେ ଏକାଧିକ ପଂଚାୟତର ଦାୟିତ୍ୱ ରହିଥିବାରୁ କାମଗୁଡ଼ିକ ମାନଦଣ୍ଡ ଅନୁସାରେ ହେଉନାହିଁ। ଧାମନଗର ବିଡିଓଙ୍କ ଦ୍ୱାରା ୨୦୨୫ ଅକ୍ଟୋବର ୮ ରେ ଜାରି ଏକ ଚିଠି ଅନୁଯାୟୀ, ଶ୍ରୀ ବେହେରାଙ୍କୁ ଏକାସାଙ୍ଗେ ଅର୍ଜୁନପୁର, ଅସୁରାଳି, ଧୁଷୁରୀ, ଗୋବିନ୍ଦପୁର, ହସନାବାଦ, ରଇପୁର ଏବଂ ବୟାଙ୍ଗଡିହି – ଏହିପରି ମୋଟ ୭ ଟି ପଂଚାୟତର ଦାୟିତ୍ୱ ଦିଆଯାଇଛି। ଏତେ ଗୁଡ଼ିକ ପଂଚାୟତର ଦାୟିତ୍ୱ ଏକାକୀ ସମ୍ଭାଳିବା ରେ ଅସମର୍ଥ ହୋଇ ସେ କୌଣସି ବି ପ୍ରକଳ୍ପ କାମକୁ ଠିକ୍ ଭାବେ ତଦାରଖ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଛାତ ପକାଇବା ସମୟରେ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଛାତର ଉଚ୍ଚତା ପ୍ରାୟ ୧୬ ଫୁଟ୍ ଥିବାବେଳେ ସେଥିପାଇଁ ମଜବୁତ ଲୁହା ସେଂଟ୍ରିଂ ବ୍ୟବହାର କରାନଯାଇ ପୁରୁଣା ଓ ଦୁର୍ବଳ ବାଉଁଶ ଖୁଂଟରେ ସେଂଟ୍ରିଂ ବନ୍ଧାଯାଇଥିଲା। ଏହି ଦୁର୍ବଳ ବାଉଁଶ ଗୁଡ଼ିକ ଅଧିକ ଭାର ବହନ କରିନପାରି ଭାଙ୍ଗି ଯିବାରୁ ଛାତଟି ହଠାତ୍ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସରକାରୀ ଅର୍ଥର ଏପରି ସିଧାସଳଖ ଅପବ୍ୟୟ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଏଭଳି ବେପରୁଆ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।