କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ସମାଜସେବୀ ହରେକୃଷ୍ଣ ପାତ୍ରଙ୍କୁ ନ୍ୟାୟ ଦେବା ସହିତ ମହାକାଳପଡା ତହସିଲଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସିଭିଲ ସୋସାଇଟ୍ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମହାକାଳପଡା ତହସିଲ ଅନ୍ତର୍ଗତ ବଉଳକଣୀ ପଞ୍ଚାୟତର ପ୍ରଭାକରପୁର ଗ୍ରାମର ସମାଜସେବୀ ହରେକୃଷ୍ଣ ପାତ୍ରଙ୍କ ଏକ ଜମିଜମା ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବା ସତ୍ୱେ ସ୍ଥାନୀୟ ଅଞ୍ଚଳର କେତେକ ଅସାମାଜିକ ବ୍ୟକ୍ତି ମହାକାଳପଡା ତହସିଲଦାରଙ୍କ ପ୍ରରୋଚନାରେ ସଙ୍ଘବଦ୍ଧ ଭାବରେ ଶ୍ରୀ ପାତ୍ରଙ୍କ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କାଟି ନେଇଥିବା ସମ୍ପର୍କରେ ଫୋରମର ଆବାହକ ପ୍ରତାପ ମହାନ୍ତି ଅଭିଯୋଗ କରିଥିଲେ। ଏସମ୍ପର୍କରେ ସ୍ଥାନୀୟ ଥାନାରେ ଶ୍ରୀ ପାତ୍ର ଅଭିଯୋଗ କରିଥିଲେ ବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ କହିଥିଲେ। ସେ ଅଞ୍ଚଳର ନିର୍ଦ୍ଦିଷ୍ଟ ଶାସକ ଦଳର ନେତା ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ରହୁଥିବାରୁ ତାହାର ପ୍ରତିବାଦ କଲେ ସାମାଜିକ କର୍ମୀଙ୍କୁ ଉଦେଶ୍ୟ ମୂଳକ ଭାବରେ ଆକ୍ରୋଶ ରଖି ହଇରାଣ କରିବା ସହ ସେମାନଙ୍କ ମୁହଁ ବନ୍ଦ କରିବାକୁ ଉଧ୍ୟମ କରାଯାଉଥିବା ଅଭିଯୋଗ କରିଥିଲେ ଶ୍ରୀ ମହାନ୍ତି। ଶ୍ରୀ ପାତ୍ରଙ୍କୁ ନ୍ୟାୟ ପ୍ରଦାନ ସହିତ ମହାକାଳପଡା ତହସିଲଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସିଭିଲ ସୋସାଇଟ୍ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଶ୍ରୀ ମହାନ୍ତି କହିଥିଲେ। ଏହି ଘଟଣାର ଘୋର ନିନ୍ଦା କରାଯିବା ସହ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ ହେବ ବୋଲି ଫୋରମ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦିପ କୁମାର ମିଶ୍ର, ନିରଞ୍ଜନ ପରିଡା, ଦିପକ ଚୈାଧୁରୀ, ସାଗର ଜେନା ଓ କେ. ବାଲାରାଜୁ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ।