Odiapua.com

ହରିଚନ୍ଦନପୁର ବ୍ଲକର ୧୦ଟି ପଞ୍ଚାୟତରେ ଯୋଗାଣ ସହାୟକ ଚୟନରେ ଅନିୟମିତତା, ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କୁ ନିଯୁକ୍ତି ଅଭିଯୋଗ

ହରିଚନ୍ଦନପୁର,ତା ୧୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ଚୟନରେ ଅନିୟମିତତା, ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବାର ଅଭିଯୋଗ ଆଣିଲେ ଯୋଗ୍ୟ ପ୍ରାର୍ଥୀ । ଖବର ଅନୁଯାୟୀ ସରକାରୀ ଖୁଚୁରା କଣ୍ଟ୍ରୋଲ ଦୋକାନ ଯଥା ଜିରାଙ୍ଗ, ରାସୋଳ, ବରେଇଗୋଡା, ଦୈତାରୀ, ସୁନାପେଣ୍ଠ, ରେବଣାପଳାଶପାଳ, ଜୁଙ୍ଗା, ପିଠାଗୋଳା, ଭଗାମୁଣ୍ଡା, ଭଅଁରପୁର ଆଦି ପଞ୍ଚାୟତ ଗୁଡିକରେ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ୨୦୧୩ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮ ଅନ୍ତର୍ଗତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ସହାୟକ ପଦବୀ ପାଇଁ ଇଛୁକ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଥିଲା । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଭାବରେ କ୍ଷଣସ୍ଥାୟୀ ଏବଂ ଚୁକ୍ତି ସମ୍ବନ୍ଧୀୟ ଏବଂ ନିଯୁକ୍ତିଙ୍କୁ ମାସିକ ପାରିଶ୍ରମିକ ବାବଦକୁ ୬ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଥିପାଇଁ ଯୋଗ୍ୟତା, ପ୍ରାର୍ଥୀ ସମ୍ପୃକ୍ତ ଗ୍ରାମପଞ୍ଚାୟତର ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର, ପ୍ରାର୍ଥୀ ଅନ୍ୟୁନ ଦଶମ ଶ୍ରେଣୀ ପାସ୍ ହୋଇଥିବା ସହ (ବୋର୍ଡ ସାର୍ଟିଫିକେଟ) ଥିବା ଦରକାର । କାରଣ ଏହି ପଦବୀ ପାଇଁ ମନୋନୟନ ପ୍ରକ୍ରିୟା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମାର୍କକୁ ଆଧାର କରି କରାଯିବାକୁ ଉଲ୍ଲେଖ ରହିଥିଲା । ହେଲେ ଜିରାଙ୍ଗ ଗ୍ରାମପଞ୍ଚାୟତର ସୁଭଶ୍ରୀ ମହାନ୍ତଙ୍କ ସର୍ବାଧିକ ମାର୍କ ହିସାବରେ ୭୩.୮୩% ରହିଥିବା ବେଳେ ତାଙ୍କୁ ନିଯୁକ୍ତି ଦିଆନଯାଇ ୪୧.୨୦% ରହିଥିବା ଜ୍ଞାନରଞ୍ଜନ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ପିଠାଗୋଳାରେ ୭୦.୦୦% ରଖିଥିବା ବ୍ୟକ୍ତିଙ୍କୁ ଦିଆନଯାଇ ୪୨.୯୩% ରହିଥିବାଙ୍କୁ, ସୁନାପେଣ୍ଠରେ ୫୮.୩୩% ରହିଥିବା ବ୍ୟକ୍ତିଙ୍କୁ ଦିଆନଯାଇ ୩୫.୨୦ ରହିଥିବା ବ୍ୟକ୍ତିଙ୍କୁ, ଭଅଁରପୁରରେ ୬୪.୯୩% ରଖିଥିବା ବ୍ୟକ୍ତିଙ୍କୁ ଦିଆନଯାଇ ୪୮.୪୩% ରହିଥିବା ବ୍ୟକ୍ତିଙ୍କୁ ଦିଆଯାଇଥିବା ବେଳେ ଜିରାଙ୍ଗ, ରାସୋଳ, ବରେଇଗୋଡା, ଦୈତାରୀ, ରେବଣାପଳାଶପାଳ, ଜୁଙ୍ଗା, ଭଗାମୁଣ୍ଡା ଆଦି ଗ୍ରାମପଞ୍ଚାୟତରେ ଚୟନରେ ଯୋଗ୍ୟଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି । ମୂଖ୍ୟ କଥା କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ଯୋଗାଣ ସହାୟକ ନିଯୁକ୍ତି ନିମନ୍ତେ ଅଭିଜ୍ଞ ପ୍ରମାଣପତ୍ର ଆବଶ୍ୟକ ହୋଇନଥିବା ବେଳେ ତାହା ଏହି ବ୍ଲକରେ କିପରି ଆବଶ୍ୟକ ହେଲା ତାହାକୁ ନେଇ ଜନସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ଉଲ୍ଲେଖ ଯେ କେବଳ ଏହି ପଦବୀ ପାଇଁ ମନୋନୟନ ପ୍ରକ୍ରିୟା ଦଶମ ବୋର୍ଡ ପରୀକ୍ଷାର ମାର୍କକୁ ଆଧାର କରି ଚୟନ କରାଯିବାକୁ ଥିବାବେଳେ ବିଭିନ୍ନ ଆଳ ଦେଖାଇ ଚୟନରେ ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କ ହାତରେ ପଦବୀ । ଯୋଗ୍ୟଙ୍କୁ ଛାଡ଼ି ରାଜନୈତିକ ବଳରେ ଯୋଉଁମାନଙ୍କୁ ଏହି ପଦ ପାଇଁ ନିଯୁକ୍ତି ଦିଆଯାଇଛି ସେମାନଙ୍କୁ ପୂର୍ବରୁ ଅଭିଜ୍ଞ ପ୍ରମାଣପତ୍ର ସମ୍ପର୍କରେ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ସେମାନେ ରାଜନୈତିକ ଚାପରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଠାରୁ ଅଭିଜ୍ଞ ପ୍ରମାଣପତ୍ର ହାସଲରେ ସଫଳ ହୋଇ ଏଠାରେ ଅଯୋଗ୍ୟରୁ ଯୋଗ୍ୟ ହୋଇଥିବା ଅଭିଯୋଗ ହୋଇଛି । ଚୟନ ପ୍ରକିୟା ଅନୁଯାୟୀ ଅଧିକ ନମ୍ବର ରଖିଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏଠାରେ ନିଯୁକ୍ତି ମିଳିନଥିବା ବେଳେ ରାଜନୈତିକକୁ ହାତବାରିସି କରୁଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବାକୁ ନେଇ ଯୋଗ୍ୟ ପ୍ରାର୍ଥୀମାନେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଏଥିସହ ଏହି ଘଟଣାର ସଠିକ୍ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ହରିଚନ୍ଦନପୁର ବିଜେପି ପକ୍ଷରୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ।