Odiapua.com

ହରିଚନ୍ଦନପୁର ବ୍ଲକର ବିଭିନ୍ନ ରାସ୍ତାର ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ ଧଗୋଠ ଗ୍ରାମ ନିକଟସ୍ଥ କୁରେଇଯୋଡି ନଦୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ମନୋହରପୁର ଠାରୁ ପିଠାଗୋଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହି ଭଳି ଠାକୁରପଡା ଗ୍ରାମ ପଞ୍ଚାୟତ ରେମାଳ ନାଳ ଓ ସୁନାପେଣ୍ଠ ବଗିରା ନାଳ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ହରିଚନ୍ଦନପୁର ଠାରୁ ଦୈତାରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଠାକାର ଲୋକମାନେ ବର୍ଷ ବର୍ଷ ଧରି ଏହି ଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଉନ୍ନତମାନର ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରିଆସୁଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାର୍ଷିକ କୋଟିକୋଟି ଟଙ୍କାର ଯୋଜନାର ଅର୍ଥ ଖର୍ଚ୍ଚ ନହୋଇ ଫେରିଯାଇଥିବା ବେଳେ ଏପର୍ଯ୍ୟନ୍ତ ଠିକ୍ ଭାବେ ଲୋକମାନଙ୍କ ଗମନାଗମନର ବ୍ୟବସ୍ଥା ହୋଇପାରିନାହିଁ । ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ଲୋକମାନଙ୍କ ଅଭିଯୋଗ କେବଳ ଅଭିଯୋଗରେ ହିଁ ରହିଯାଉଛି । ଲୋକଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା କାରଣରୁ ଆଜି ଅନେକ ଜନସାଧାରଣ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖବର ଅନୁଯାୟୀ ଏହି ରାସ୍ତା ଗୁଡିକ ଉପରେ ବ୍ଲକର ଅନେକ ଗ୍ରାମ ନିର୍ଭର କରୁଥିବା ସହ ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନଥିବା ନେଇ ଜନସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଯାହାକୁ ନେଇ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଅନେକ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଉଥିବା କାରଣରୁ ଜନଜୀବନ ହନ୍ତସନ୍ତ ହେଉଥିବା ନଜିର ରହିଛି । ରେମାଳ ନାଳର ପୋଲ ଉପରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଣି ପ୍ରବାହିତ ଯୋଗୁଁ ୪ଟି ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି କୁରେଇଯୋଡି ନାଳ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଜିରାଙ୍ଗ, ପିଠାଗୋଳା ଗ୍ରାମ ପଞ୍ଚାୟତ ସହ କାଳିଆହତା ଓ ତେଲକୋଇକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣିରେ ଲହରୀ ଖେଳୁଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳା କାରଣରୁ ଏହି ନାଳ ଉପରେ ଆଜି ପର୍ଯ୍ୟନ୍ତ ଉନ୍ନତମାନର ପୋଲ ନିର୍ମାଣ ହୋଇପାରିନାହିଁ, ଯାହାର ପରିଣାମରେ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଅନେକ ସମୟରେ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଇଥାଏ । ଫଳରେ ଏହି ରାସ୍ତାରେ ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ବିଭିନ୍ନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସୁନାପେଣ୍ଠର ବଗିରା ନାଳ ଉପରେ ନୂତନ ଭାବେ ଉନ୍ନତମାନର ପୋଲ ନିର୍ମାଣ ମନ୍ଥନଗତିରେ ହେଉଥିବା ସହ ନିମ୍ନମାନର ଅସ୍ଥାୟୀ ପୋଲ ଯୋଗୁଁ ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ଶେଷ କରାଇବା ସହ ରେମାଳ ନାଳ ଓ କୁରେଇଯୋଡି ନାଳ ଉପରେ ଉନ୍ନତମାନର ପୋଲ ନିର୍ମାଣ ପାଇଁ ଜନସାଧାରଣରେ ଦାବି ହୋଇଛି । ଏହି ପୋଲ ଗୁଡ଼ିକ ଅନେକ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ବେଳେ ତାହାର ଉଚ୍ଚତା ବହୁତ କମ୍, ଯାହାକୁ ନେଇ ସାମାନ୍ୟ ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ପୋଲକୁ ଉନ୍ନତମାନର କରାଇବାକୁ ଜନସାଧାରଣରେ ଦାବି ହୋଇଛି ।